
ନୂଆପଡ଼ା, ୧୧ ଅଗଷ୍ଟ (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ମୁଖ୍ୟ ରାସ୍ତା ଭଣ୍ଡାରୀପଡ଼ା ଛକରୁ ରାଜାପଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଡ୍ରେନର ଢାଙ୍କୁଣୀ ଦୀର୍ଘଦିନ ଧରି ଖୋଲା ହୋଇ ପଡ଼ିଥିବାରୁ ସାଧାରଣ ଲୋକଙ୍କ ଯାତାୟାତରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଏହି ରାସ୍ତାଟି ସହରର ଏକ ବାଇପାସ ରାସ୍ତା ଭାବେ ବ୍ୟବହୃତ ହେଉଥିବାରୁ ପ୍ରତିଦିନ ଶତାଧିକ ପଥଚାରୀ, ସାଇକେଲ, ଦୁଇଚକିଆ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ କରୁଛି। ରାସ୍ତା ମଝିରେ ଖୋଲା ଡ୍ରେନ ଥିବାରୁ ଯେକୌଣସି ସମୟରେ ବଡ଼ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ଏନଏସି ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ କରାଯାଇନାହିଁ। ବିଶେଷକରି ରାତି ସମୟରେ ରାସ୍ତାରେ ଆଲୋକର ଅଭାବ ଯୋଗୁଁ ଖୋଲା ଡ୍ରେନ ଦେଖିବା କଷ୍ଟକର ହେଉଥିବାରୁ ଦୁର୍ଘଟଣାର ଆଶଙ୍କା ଆହୁରି ବଢ଼ିଯାଉଛି। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୋଲା ଡ୍ରେନରେ ତୁରନ୍ତ ନୂତନ ଢାଙ୍କୁଣୀ ଲଗାଇବା କିମ୍ବା ଭଙ୍ଗା ଢାଙ୍କୁଣୀର ମରାମତି କରିବା ସହ ରାସ୍ତାରେ ଆବଶ୍ୟକ ଆଲୋକ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦା ଓ ଜନସାଧାରଣ ଏନଏସି ପ୍ରଶାସନ ନିକଟରେ ଦାବି କରିଛନ୍ତି।
ଏନେଇ ଏନଏସି ଇ.ଓ. ସ୍ଵାଧୀନ କେତନ ମହାରଣାଙ୍କୁ ଯୋଗାଯୋଗ କରାଯିବାରୁ ଅତିଶୀଘ୍ର ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ