
ସମ୍ବଲପୁର, ୧୧, ଅଗଷ୍ଟ (ହି.ସ.) ନିଜର ପ୍ରେମ ସମ୍ପର୍କ ଭାଙ୍ଗିଯିବା ଓ ଅନ୍ୟତ୍ର ବାହାଘର ଠିକ୍ ହେବା ଜାଣି ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ୩ ପୃଷ୍ଠାର ଚିଠି ପ୍ରସ୍ତାବିତ ପୁଅ ଘର ନିକଟରେ ଫିଙ୍ଗି ବାହାଘର ଭାଙ୍ଗିଥିବା ଅଭିଯୁକ୍ତକୁ ଗିରଫ କରିଛି ଜମନକିରା ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ବରଗଡ଼ ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ବେହେରାଟାଲ ଗ୍ରାମର ନରୋତ୍ତମ ଚାନ୍ଦର ୩୭ ବର୍ଷର ପୁଅ ଆଶିଷ କୁମାର ଚାନ୍ଦ ବୋଲି ଜଣାପଡିଛି । ସୂଚନାନୁଯାୟୀ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳର ଜନୈକା ଯୁବତୀଙ୍କ ସହ ଅଭିଯୁକ୍ତ ଆଶିଷର ବିଗତ ୫ ରୁ ୬ ବର୍ଷ ଧରି ପ୍ରେମ ଓ ଶାରୀରିକ ସମ୍ପର୍କ ରହି ଆସିଥିଲା। ମାତ୍ର ଯୁବତୀଙ୍କ ପରିବାର ଲୋକେ ଅନ୍ୟତ୍ର ବିବାହ ପ୍ରସ୍ତାବ ଠିକ୍ କରିଦେବା ଫଳରେ, ରାଗ ଓ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ଆଶିଷ ଯୁବତୀଙ୍କ ସହ ତାଙ୍କର କିଛି ଅଶ୍ଲୀଳ ଫଟୋ ଏବଂ ଏକ ୩ ପୃଷ୍ଠାର ଅନାମଧେୟ ହାତଲେଖା ଚିଠି ପୁଅ ଘର ନିକଟରେ ଫିଙ୍ଗି ଦେଇଥିଲା । ଘରକୁ ଆସିନଥିବା ନୂଆ ବୋହୁର ଏଭଳି ଅଶ୍ଲୀଳ ଫଟୋ ଓ ଚିଠି ଦେଖିବା ପରେ ବରପକ୍ଷ ବିବାହକୁ ବାତିଲ କରି ଦେଇଥିଲେ। ଏନେଇ ଗତ ୮ ତାରିଖ ଦିନ ଝିଅର ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଜମନକିରା ଥାନାରେ ପୋଲିସ ୧୨୨/୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତ ଆଶିଷକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ