ଫୁଲବାଣୀରେ ହର ଘର ତିରଙ୍ଗା-୨୦୨୬ ଉପଲକ୍ଷେ ବିଶାଳ ତ୍ରିରଙ୍ଗା ବାଇକ୍ ରାଲି ଓ ୧୦୦ ମିଟର ଦୀର୍ଘ ପତାକା ଶୋଭାଯାତ୍ରା ଆୟୋଜିତ ହେବ
Press Meet by the Collector on Har Ghar Triranga
ଫୋଟ


କନ୍ଧମାଳ , ୧୧ ଅଗଷ୍ଟ (ହି.ସ.)

ଫୁଲବାଣୀ, ୧୧ ଅଗଷ୍ଟ: ସ୍ୱାଧୀନତା ଦିବସ ୨୦୨୬ ଅବସରରେ ହର ଘର ତିରଙ୍ଗା–୨୦୨୬ କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲାରେ ବ୍ୟାପକ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ଗ୍ରହଣ କରାଯାଇଛି। ଏହି ଉପଲକ୍ଷେ ଆସନ୍ତା ଅଗଷ୍ଟ ୧୩ ଓ ୧୪ ତାରିଖରେ ଜିଲ୍ଲାସ୍ତରୀୟ ଭବ୍ୟ ରାଲି ଓ ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି।

ଅଗଷ୍ଟ ୧୩ ତାରିଖ ସକାଳ ୭:୩୦ ଘଟିକା ସମୟରେ ଫୁଲବାଣୀର କୋରୋନେସନ ପଡ଼ିଆରୁ ଏକ ବିଶାଳ ତ୍ରିରଙ୍ଗା ବାଇକ୍ ଓ ସାଇକେଲ୍ ରାଲିର ଶୁଭାରମ୍ଭ ହେବ। ରାଲିର ପ୍ରାରମ୍ଭରେ ଦେଶଭକ୍ତି ଓ ଜାତୀୟ ଏକତାର ଭାବନା ଜାଗ୍ରତ କରିବା ପାଇଁ ସମବେତ କଣ୍ଠରେ ବନ୍ଦେ ମାତରମ୍ ଗାନ କରାଯିବ। ଏହି ରାଲିରେ ୧୧୦୦ରୁ ଊର୍ଦ୍ଧ୍ୱ ଅଂଶଗ୍ରହଣ କରିବେ। କୋରୋନେସନ ପଡ଼ିଆରୁ ବାହାରି ଗୋପବନ୍ଧୁ ଛକ, ବିଜୁ ପଟ୍ଟନାୟକ ଛକ, ମାଦିକୁନ୍ଦା ଛକ, ଗାନ୍ଧୀ ଛକ, ବସ୍ ଷ୍ଟାଣ୍ଡ, ଫୁଲବାଣୀ ସାହି ଛକ, ଜଗନ୍ନାଥ ମନ୍ଦିର ଛକ, କୋର୍ଟ ଛକ, ଗୋପବନ୍ଧୁ ଛକ ହୋଇ ପୁନର୍ବାର କୋରୋନେସନ ପଡ଼ିଆଠାରେ ଶେଷ ହେବ। ସେହି ପରି

ଅଗଷ୍ଟ ୧୪ ତାରିଖ ସକାଳ ୭:୩୦ ଘଟିକାରେ ଜିଲ୍ଲା, ବ୍ଲକ୍ ଓ ସହରାଞ୍ଚଳ ସ୍ତରରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରାଯିବ। ଭାରତ ବିଭାଜନ ସମୟର ଯନ୍ତ୍ରଣା, ବଳିଦାନ ଓ ବିସ୍ଥାପନର ସ୍ମୃତିଚାରଣ ସହ ସେହି ସମୟରେ ପ୍ରାଣ ହରାଇଥିବା ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯିବ। ଏହା ପରେ ପରେ ଏକ ଆକର୍ଷଣୀୟ ତିରଙ୍ଗା ଶୋଭାଯାତ୍ରା ଆୟୋଜିତ ହେବ, ଯେଉଁଥିରେ ୧୦୦ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ପତାକାକୁ ପ୍ରଦର୍ଶନ କରାଯାଇ ପ୍ରଦକ୍ଷିଣ କରାଯିବ।

ଏହି ଶୋଭାଯାତ୍ରାରେ ମୋଟ ୧୧୦୦ ଜଣ ସାମିଲ ହେବେ। ଏହି ଶୋଭାଯାତ୍ରା କୋରୋନେସନ ପଡ଼ିଆରୁ ଆରମ୍ଭ ହୋଇ ଗୋପବନ୍ଧୁ ଛକ, ବିଜୁ ପଟ୍ଟନାୟକ ଛକ, ମାଦିକୁନ୍ଦା ଛକ ଦେଇ ରିଜର୍ଭ ପୋଲିସ ପଡ଼ିଆଠାରେ ଉଦଯାପିତ ହେବ। ଉଭୟ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ଅଂଶଗ୍ରହଣକାରୀଙ୍କ ସଂଗଠନ, ସମନ୍ୱୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ନିମନ୍ତେ ଦାୟିତ୍ୱ ଅର୍ପଣ କରାଯାଇଛି।

ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକ ସ୍ୱତଃସ୍ଫୂର୍ତ୍ତ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande