


ବଲାଙ୍ଗିର, 11 ଅଗଷ୍ଟ (ହି.ସ.)ଲୋୟର ସୁକତେଲ ପ୍ରକଳ୍ପ ତଳେ ଥିବା ନୂଆ କିରା ବାହାଲ ଡ୍ୟାମ ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନ। ଅଳ୍ପ ବର୍ଷା ଓ ଲୋୟର ସୁକତେଲର 6ଟି ଗେଟର ବନ୍ୟା ପାଣିରେ ଧୋଇ ଗଲା ନୂଆ ଡ୍ୟାମର ଗାର୍ଡ ୱାଲ୍। ଯାହାକୁ ନେଇ ଏବେ ସାଧାରଣ ଲୋକେ ଓ ବଲାଙ୍ଗୀର ବିଧାୟକ ଠିକାଦାର ଓ ନେତା ପୋଷା ନୀତି ଯୋଗୁଁ ଏହି ତ୍ରୁଟି ପୂର୍ଣ୍ଣ ଡ୍ୟାମ ତିଆରି ହୋଇଥିବାର ଅଭିଯୋଗ କରିଛନ୍ତି। ଆଗକୁ ବଡ଼ ବର୍ଷା ହେଲେ ଏହି ଡ୍ୟାମ ଯୋଗୁଁ ବଡ଼ ବନ୍ୟା ଆସିବା ସହ ଡ୍ୟାମ ସେତେ ଜଳ ଧାରଣ କିମ୍ବା ପ୍ରବାହ ରୋକି ପାରିବ ନାହିଁ ବୋଲି ପ୍ରଶ୍ନ ଉଠିଛି। ସେପଟେ ଏଠିକାର ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯାହାବି ତ୍ରୁଟି ଅଛି ଆମେ ସୁଧାରିବୁ ଓ ସବୁର ତଦନ୍ତ ମୁ ନିଜେ କରିବି ବୋଲି କହିଛନ୍ତି।
ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଉଚ୍ଚ ସ୍ତରୀୟ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ଠାରୁ ମାତ୍ର ୨୦ କିମି ଦୂରରେ ଆଉ ଏକ ନୂଆ କିରା ବାହାଲ ଡ୍ୟାମ ନିର୍ମାଣ ହୋଇଛି। ବିଜେଡି ସରକାର ସମୟରେ ଗୋଟିଏ ପଟେ ଲୋୟର ସୁକତେଲ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବାକୁ ଥିବା ବେଳେ ସ୍ଥାନୀୟ କଂଗ୍ରେସ ବିଧାୟକଙ୍କ ଦାବି ମୁତାବକ ଆଉ ଏକ ଡ୍ୟାମ ଲୋୟର ସୁକତେଲ ପ୍ରକଳ୍ପର ମାତ୍ର ୨୦ କିମି ମଧ୍ୟରେ ମଞ୍ଜୁର ହୋଇଥିଲା। ଯାହାର ନିର୍ମାଣ ବ୍ୟୟ ଅଟକଳ ସେ ସମୟରେ ୧୫୦ କୋଟି ଥିବା ବେଳେ ଡ୍ୟାମର ଲମ୍ବ ୨୫୬ ମିଟର ଓ ୧୮ ଟି ଗେଟ ହେବାର ଥିଲା।ହେଲେ ପରବର୍ତ୍ତୀ ସମୟରେ ଏହାର ଡିଜାଇନ୍ ବିନା ସର୍ଭେ ଓ ମଡେଲ ଟେଷ୍ଟରେ କମାଇ ଦିଆ ଯାଇଥିଲା। ଯାହାଦ୍ୱାରା ଏବେ ଏହି ଡ୍ୟାମ ମୋଟ ଲମ୍ବ ୨୦୬ ମିଟରରେ ନିର୍ମିତ ହୋଇଛି। ସେହିପରି ଏହାର ୧୮ ଟି ଗେଟ ବଦଳରେ ଏବେ ୧୪ ଟି ଗେଟ କରା ଯାଇଛି। ତେବେ ଚଳିତ ବର୍ଷାରେ ଏହି ଡ୍ୟାମ ତଳକୁ ନିର୍ମିତ ପଥର ପେଚିଙ୍ଗ ୱାଲ୍ ଓ ଗାର୍ଡ ୱାଲ୍ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି। ଯାହାଦ୍ୱାରା ବନ୍ୟା ପାଣି କ୍ଷେତ ବିଲକୁ ପଶିବା ସହ ବ୍ୟାପକ କ୍ଷୟକ୍ଷତି କରିଥିବାର ଅଭିଯୋଗ ଆସିଛି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ