
ନୂଆପଡ଼ା, ୧୧ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୋଟର ତାଲିକା ସମ୍ପର୍କିତ ଆପତ୍ତି ଓ ଅଭିଯୋଗର ଶୁଣାଣି କରାଯିବା ସହ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଭୋଟର ଉପସ୍ଥିତ ରହି ନିଜ ନିଜ ତଥ୍ୟ ଯାଞ୍ଚ କରିବା ସହ ଆବଶ୍ୟକ କାଗଜପତ୍ର ପ୍ରଦାନ କରିଥିଲେ। ଭୋଟର ତାଲିକାରେ ନାମ ସଂଯୋଜନ, ବାଦ୍ ଦେବା କିମ୍ବା ତଥ୍ୟ ସଂଶୋଧନ ଆବଶ୍ୟକ ଥିଲେ ସେ ସମ୍ପର୍କରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ଏହି ଶିବିରରେ ବିଏଲ୍ଓମାନେ ଯୋଗଦେଇ ଭୋଟରମାନଙ୍କ ଠାରୁ ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ ସଂଗ୍ରହ କରି ମୋବାଇଲ୍ ଆପ୍ ମାଧ୍ୟମରେ ଅପଲୋଡ୍ କରିବା ସହ ତାଲିକାଭୁକ୍ତ କରୁଛନ୍ତି। ଏଥିସହ ୨୦୦୨ ମସିହାର ଭୋଟର ତାଲିକାରେ ଥିବା ତଥ୍ୟକୁ ମଧ୍ୟ ଯାଞ୍ଚ କରାଯାଇ ଆବଶ୍ୟକ ସୂଚନା ପ୍ରଦାନ କରାଯାଉଛି।
ସୂଚନା ଅନୁସାରେ, ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ତେଣୁ ସମସ୍ତ ନାଗରିକ ନିଜ ଭୋଟର ତାଲିକାରେ ଥିବା ତଥ୍ୟ ଯାଞ୍ଚ କରି ଆବଶ୍ୟକ ସଂଶୋଧନ ପାଇଁ ସଠିକ୍ ତଥ୍ୟ ଓ କାଗଜପତ୍ର ପ୍ରଦାନ କରିବାକୁ ଆହ୍ୱାନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ