
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ବଲାଙ୍ଗିରସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀଙ୍କ ଅତୁଳନୀୟ ବଳିଦାନକୁ ସ୍ମରଣ କରିଥିଲେ।
କାର୍ଯ୍ୟକ୍ରମରେ ଦେଶର ଏକତା, ଅଖଣ୍ଡତା ଓ ପ୍ରଗତିରେ ଯୁବପିଢ଼ିଙ୍କ ସହ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମନ୍ତ୍ରୀ ମହାଲିଙ୍ଗ ଆଲୋକପାତ କରିଥିଲେ। ‘ହର ଘର ତ୍ରିରଙ୍ଗା’ ଅଭିଯାନ ମାଧ୍ୟମରେ ଦେଶପ୍ରେମ, ଜାତୀୟ ଏକତା ଓ ଦେଶର ସ୍ୱାଧୀନତା ସଂଗ୍ରାମର ମହାନ ଆଦର୍ଶକୁ ଜନମାନସରେ ଆହୁରି ସୁଦୃଢ଼ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ‘ବନ୍ଦେ ମାତରମ୍’ର ଦେଶାତ୍ମବୋଧକ ଧ୍ୱନି ପରିବେଶକୁ ଦେଶପ୍ରେମରେ ଭରି ଦେଇଥିଲା। ସ୍ୱାଧୀନତା ସଂଗ୍ରାମର ଅମର ଗାଥା ଓ ଦେଶଭକ୍ତିର ଏହି ମନ୍ତ୍ର ଆଜି ମଧ୍ୟ ଦେଶବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବା ସହ ଦେଶ ପ୍ରତି ସମର୍ପଣର ପ୍ରେରଣା ଯୋଗାଇଥାଏ ବୋଲି ମନ୍ତ୍ରୀ କହିଥିଲେ।
ମନ୍ତ୍ରୀ ଡ. ମହାଲିଙ୍ଗ ରାଜ୍ୟବାସୀଙ୍କୁ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ। ଘରେ ଘରେ ଗର୍ବ ଓ ଗୌରବର ସହ ଜାତୀୟ ପତାକା ଉତ୍ତୋଳନ କରି ଭାରତମାତା ପ୍ରତି ସମ୍ମାନ ଜଣାଇବାକୁ ସେ ଅନୁରୋଧ କରିଥିଲେ।
କାର୍ଯ୍ୟକ୍ରମରେ , ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସ୍ୱତନ୍ତ୍ର ବିକାଶ ପରିଷଦର ଚେୟାରମ୍ୟାନ ବଲ୍ଲଭ ଧାରୁଆଙ୍କ ସମେତ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ