
ଅନୁଗୁଳ, ୧୧ ଅଗଷ୍ଟ (ହି.ସ.)- କଂଗ୍ରେସ ପକ୍ଷରୁ ଆସନ୍ତାକାଲି ୧୨ ଘଂଟିଆ ଅନୁଗୁଳ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । କୋଇଲା ଓ ପାଉଁଶ ପରିବହନ ଯୋଗୁଁ ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବା ସହିତ ଲୋକଙ୍କ ସ୍ୱାସ୍ଥ୍ୟହାନି ଘଟୁଛି । ଯାହାକି ଜିଲ୍ଲାବାସୀଙ୍କୁ ଅତିଷ୍ଠ କରିଛି । ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ୧୨ ଘଂଟିଆ ବନ୍ଦ ଡାକରା ଦେଇଛି । ଏହି ସମୟରେ ପିକେଟିଂ କରି ଜିଲ୍ଲାର ସମସ୍ତ ଶିକ୍ଷା ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବା ସହିତ ଅଖ ଚକ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛି ଜିଲ୍ଲା କଂଗ୍ରେସ ।
ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ସୁନିଲ ପ୍ରଧାନ କହିଛନ୍ତି ଯେ, ଜିଲ୍ଲାରେ ବ୍ୟାପକ କୋଇଲା ଓ ପାଉଁଶ ପରିବହନ ଯୋଗୁଁ ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ଏବଂ ସଡ଼କ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି । ଲୋକଙ୍କ ସ୍ୱାସ୍ଥ୍ୟହାନି ଘଟୁଛି । ଅନେକ ଦୁରାରୋଗ୍ୟର ଶିକାର ହେଉଛନ୍ତି ଅନୁଗୁଳବାସୀ । ତେଣୁ ପ୍ରଦୂଷଣମୁକ୍ତ ଅନୁଗୁଳ ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି । ଏଥିରେ ସହଯୋଗ କରି ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ ସଂଘ, ଜନସାଧାରଣଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ