
ନୟାଗଡ଼, ୧୧ ଅଗଷ୍ଟ (ହି.ସ.)- ଭୁଲ୍ ଇଞ୍ଜେକସନ୍ ଦିଆଯାଇଥିବା ଯୋଗୁଁ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି ସକାଳେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତେଜନା ପ୍ରକାଶ ପାଇଛି ।
ମୃତ ନାବାଳିକାଙ୍କ ଘର ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ଗୋଳାପୋଖରୀ ଗ୍ରାମରେ । ସେ ଗୋପାଳ ବେହେରାଙ୍କ ଝିଅ ସନ୍ତୋଷିନୀ ବେହେରା । ସନ୍ତୋଷିନୀ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ । ଗତକାଲି ଠାରୁ ତାଙ୍କୁ ଜ୍ୱର ହୋଇଥିଲା । ଆଜି ସକାଳେ ପରିବାର ଲୋକେ ସନ୍ତୋଷିନୀଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ଇଞ୍ଜେକସନ୍ ଦେଇଥିଲେ । ହେଲେ ଇଞ୍ଜେକସନ୍ ଦିଆଯିବାର ପ୍ରାୟ ୫ ମିନିଟ୍ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଇଞ୍ଜେକସନ୍ ଦିଆଯିବା ପରେ ଝିଅ ସୁସ୍ଥ ହେବା ପରିବର୍ତେ ତା’ର ମୃତ୍ୟୁ ଘଟିଥିବାରୁ ତାଙ୍କୁ ଭୁଲ୍ ଇଞ୍ଜେକସନ୍ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଗ୍ରାମର ଶତାଧିକ ଲୋକ ଡାକ୍ତରଖାନାରେ ପହଂଚିଛନ୍ତି । ସେଠାରେ ଉତେଜନା ପ୍ରକାଶ ପାଇଛି । ଫତେଗଡ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଚଳାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ