
ନୂଆପଡ଼ା,୧୨ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନାଂଚଳ ଅଧିନ ଦାବ୍ରି ପଂଚାୟତର ଭାଲୁଡୁଙ୍ଗୁରି ଗ୍ରାମ ନିକଟସ୍ଥ ପଖାନକଟା ପୋଖରୀ ନିକଟରୁ ବନ ବିଭାଗ ଏକ ବଜ୍ରକାପ୍ତକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ବୁଧବାର ସକାଳେ ପୋଖରୀ ନିକଟରେ ଏକ ବଜ୍ରକାପ୍ତ ବୁଲୁଥିବା ଦେଖି ଗ୍ରାମର ଯୁବକ ଗୋପାଳ ତାଣ୍ଡି, ଟିକଚନ ମାଝି, ଯଶୋବନ୍ତ ମାଝି ଓ ମୋହନ ତାଣ୍ଡି ଖଡ଼ିଆଳ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନପାଳ ସୁଦାମ କୁମାର ବାଗ ଓ ପରମାନନ୍ଦ ତାଣ୍ଡି ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କ ସହଯୋଗରେ ବଜ୍ରକାପ୍ତଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ଏହାକୁ ଖଡ଼ିଆଳ ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ବନ ବିଭାଗର ସୂଚନା ଅନୁସାରେ, ବଜ୍ରକାପ୍ତଟିର ଓଜନ ପ୍ରାୟ ୩.୩ କିଲୋଗ୍ରାମ ହୋଇଥିବାବେଳେ ଏହାର ଶାରୀରିକ ସ୍ଥିତି ସ୍ୱାଭାବିକ ରହିଛି। ବଜ୍ରକାପ୍ତଟିକୁ ସୁରକ୍ଷିତ ଭାବେ ଏହାର ସ୍ୱାଭାବିକ ବାସସ୍ଥାନକୁ ଫେରାଇବା ଉଦ୍ଦେଶ୍ୟରେ ବୁଧବାର ରାତିରେ ଉପଯୁକ୍ତ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଗ୍ରାମବାସୀଙ୍କ ସଚେତନତା ଓ ତତ୍ପରତା ଯୋଗୁଁ ଏକ ବିରଳ ବନ୍ୟପ୍ରାଣୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବାରୁ ସ୍ଥାନୀୟ ଅଂଚଳରେ ଏହାକୁ ନେଇ ପ୍ରଶଂସା କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ