ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମୁଖ୍ୟ ଯୋଜନାଗୁଡ଼ିକର ସମୀକ୍ଷା ବୈଠକ
Collector review on panchayati raj
Collector review on


ଝାରସୁଗୁଡ଼ା, 12 ଅଗଷ୍ଟ (ହି.ସ.) - ଝାରସୁଗୁଡା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମୁଖ୍ୟ ଯୋଜନାଗୁଡ଼ିକର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଗ୍ରାମୀଣ ଆବାସ ଯୋଜନା, ଭି.ବି-ଜି ରାମ୍ ଜି, କେନ୍ଦ୍ରୀୟ ଅର୍ଥ କମିଶନ, ରାଜ୍ୟ ଅର୍ଥ କମିଶନ, ବି.ଜି.ବି.ଓ, ବିଭିନ୍ନ ନିର୍ମାଣଧୀନ ପ୍ରକଳ୍ପର ମରାମତି ଓ ରକ୍ଷଣାବେକ୍ଷଣ, ଏସ.ଆର.ସି କାର୍ଯ୍ୟକ୍ରମ, ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଏବଂ 'ଏକ୍ ପେଡ୍ ମା' କେ ନାମ୍' ଆଦି ପ୍ରମୁଖ କାର୍ଯ୍ୟକ୍ରମର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ବୈଠକରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଲକ୍ଷ୍ୟ ପୂରଣ କରିବା ସହ ପ୍ରକଳ୍ପଗୁଡ଼ିକର ନିୟମିତ ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବ୍ଲକ୍ ଏବଂ ପଞ୍ଚାୟତ ସ୍ତରରେ ବାକି ଥିବା କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ଏବଂ କାର୍ଯ୍ୟଦକ୍ଷତାରେ ସୁଧାର ଆଣିବା ପାଇଁ ଆବଶ୍ୟକୀୟ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା। ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଅତିରିକ୍ତ ନିର୍ବାହୀ ଅଧିକାରୀଙ୍କ ସମେତ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande