ସହରର ବିଭିନ୍ନ ଖାଦ୍ୟ ଦୋକାନରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ
Collectors raid on different food stall
Collector raid


ଝାରସୁଗୁଡ଼ା, 12 ଅଗଷ୍ଟ (ହି.ସ.) - ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଅଛି। ଏହି କ୍ରମରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଓ ପୌରପାଳିକା ଟିମ୍ ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ଏକ ବିଶେଷ ଚଢ଼ାଉ ଓ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଯାଇଛି। ସରବାହାଲ ଅଞ୍ଚଳରେ ଚାଲିଥିବା ଏହି ଯାଞ୍ଚ ଅଭିଯାନରେ ମୋଟ ୨୯ଟି ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିଲା। ଏଥିମଧ୍ୟରେ ଗୁପଚୁପ୍ ଠେଲା, ଫାଷ୍ଟଫୁଡ୍ ଷ୍ଟଲ୍, ସ୍ନାକ୍ସ ସେଣ୍ଟର୍, କୁକୁଡ଼ା ଏବଂ ମାଛ ଦୋକାନ ଆଦି ସାମିଲ ରହିଥିଲା। ଯାଞ୍ଚ ସମୟରେ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ ଉଲ୍ଲଂଘନ କରି ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କଠାରୁ ମୋଟ ୫,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

ଏହା ସହିତ ବିକ୍ରି ପାଇଁ ରଖାଯାଇଥିବା ପ୍ରାୟ ୧୪ କିଲୋଗ୍ରାମ ଅସ୍ୱାସ୍ଥ୍ୟକର ଓ ବାସି ଖାଦ୍ୟ ଜବତ କରାଯାଇ ତୁରନ୍ତ ନଷ୍ଟ କରାଯାଇଛି। ଜଳବାହିତ ରୋଗର ପ୍ରତିରୋଧ ପାଇଁ ବ୍ୟବହୃତ ହେଉଥିବା ପାଣିର ଗୁଣବତ୍ତା ପରୀକ୍ଷା ନିମନ୍ତେ ୭ଟି ସ୍ଥାନରୁ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି। ସେହିପରି ଦୋକାନଗୁଡ଼ିକରେ ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଏବଂ ବୈଧ ଖାଦ୍ୟ ଲାଇସେନ୍ସ ହାସଲ କରିବା ପାଇଁ ସମ୍ପୃକ୍ତ ବ୍ୟବସାୟୀମାନଙ୍କୁ ଇଂପ୍ରୁଭମେଣ୍ଟ ନୋଟିସ୍' ଜାରି କରାଯାଇଛି।

ଏହି ଯାଞ୍ଚ ଓ ଚଢ଼ାଉ ଅଭିଯାନରେ ଖାଦ୍ୟ ସୁରକ୍ଷା ଅଧିକାରୀ କୁନ୍ଦନ ଲୁହାର, ସହକାରୀ ଯାଦବ ଦେହେରୀ, ପୌରପାଳିକା କର୍ମଚାରୀ ଏମ.ଡି ନାସିର ଏବଂ ପୋଲିସ କନଷ୍ଟେବଲ ପ୍ରମିତ ଚାନ୍ଦ ପ୍ରମୁଖ ସାମିଲ ହୋଇ କାର୍ଯ୍ୟାନୁଷ୍ଠାନ ପରିଚାଳନା କରିଥିଲେ। ସାଧାରଣ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟପ୍ରଦ ଓ ନିରାପଦ ଖାଦ୍ୟ ଯୋଗାଇଦେବା ପାଇଁ ଆଗାମୀ ଦିନରେ ଏହିପରି ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande