
ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ) - ସମାବେଶୀ ବିକାଶ ମାଧ୍ୟମରେ ରାଜ୍ୟର ଯୁବକ, ମହିଳା, ଶିଳ୍ପୀ ଏବଂ ପ୍ରଥମ ପିଢ଼ି ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯିବା ଆବଶ୍ୟକ ବୋଲି ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି । ଏତତବ୍ୟତୀତ ଓଡ଼ିଶାର ଗ୍ରାମୀଣ ଏବଂ ଆଦିବାସୀ ଅଂଚଳରେ ଉଦ୍ୟମିତାକୁ ଅଧିକ ଭାବେ ପ୍ରସାରିତ କରିବା ପାଇଁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି ।
ବୁଧବାର ଦିନ ଓଡ଼ିଶା ଆସେମ୍ବ୍ଲିଅଫ୍ ସ୍ମଲ ଆଣ୍ଡ ମିଡିୟମ ଏଂଟରପ୍ରାଇଜେସ୍ (ଓଏଏସଏମଇ) ର ୪୧ତମ ପ୍ରତିଷ୍ଠା ଦିବସ ଏବଂ ବାର୍ଷିକ ରାଜ୍ୟ ସ୍ତରୀୟ ସମ୍ମିଳନୀ-୨୦୨୬ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । ରାଜ୍ୟପାଳ କହିଥିଲେ ଯେ ପ୍ରତ୍ୟେକ ଯୁବକଙ୍କୁ ସୁଯୋଗ ପ୍ରଦାନ କରିବା ପାଇଁ ଉଦ୍ୟୋଗ ବିକଶିତ ହେବା ଜରୁରୀ। ସେହିଭଳି ଗ୍ରାମ ଏବଂ ଛୋଟ ସହରଗୁଡ଼ିକର ସମୃଦ୍ଧି ପାଇଁ ଉଦ୍ୟୋଗକୁ ସେଠାକୁ ପହଂଚାଇବା ଆବଶ୍ୟକ।
ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ର ଲକ୍ଷ୍ୟକୁ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ବିକାଶକୁ କେବଳ ଶିଳ୍ପ କିମ୍ବା ବିନିଯୋଗର ଆକାର ଦୃଷ୍ଟିରୁ ମାପିବା ଉଚିତ ନୁହେଁ, ବରଂ ଲୋକଙ୍କ ପାଇଁ ଆମେ କେତେ ସୁଯୋଗ ସୃଷ୍ଟି କରୁଛୁ ତାହା ଦ୍ୱାରା ମାପିବା ଉଚିତ। ଏମଏସଏମଇକୁ ଲୋକଙ୍କ ଆକାଂକ୍ଷାକୁ ବାସ୍ତବରେ ରୂପାନ୍ତରିତ କରିବାର ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ ଏହି କ୍ଷେତ୍ର କେବଳ ଅର୍ଥନୀତିର ଏକ ଅଂଶ ନୁହେଁ, ବରଂ ନିଯୁକ୍ତି, ଜୀବିକା ଏବଂ ଅର୍ଥନୈତିକ ସୁଯୋଗର ଏକ ପ୍ରମୁଖ ଉତ୍ସ। ଉନ୍ନତ ସହରଗୁଡ଼ିକରୁ ଅନ୍ୟ ସହର, ଗ୍ରାମ, ଆଦିବାସୀ ଅଞ୍ଚଳ ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକୁ ଉଦ୍ୟୋଗକୁ ପହଂଚାଇବା ହେଉଛି ଏହାର ଶକ୍ତି ।
ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ଏମଏସଏମଇ ଓଡ଼ିଶାର ପାରମ୍ପରିକ ଶକ୍ତି ଏବଂ ଆଧୁନିକ ଆକାଂକ୍ଷା ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରେ। ଏହା ଶିଳ୍ପୀମାନଙ୍କୁ ବିଶ୍ୱ ବଜାର ସହିତ, କୃଷି ଉତ୍ପାଦକୁ ମୂଲ୍ୟ ସଂଯୋଜିତ ଶିଳ୍ପ ସହିତ ଏବଂ ସ୍ଥାନୀୟ ଦକ୍ଷତାକୁ ଉଦୀୟମାନ ପ୍ରଯୁକ୍ତି ସହିତ ସଂଯୋଗ କରେ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ୟମରେ ରାଜ୍ୟର ଏମଏସଏମଇ ପରିବେଶକୁ ସୁଦୃଢ଼ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏମଏସଏମଇ ପାଇଁ ସୁଧ ଖର୍ଚ୍ଚ ଭରଣା, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଏବଂ ଏମଏସଏମଇ କ୍ଲଷ୍ଟର ପାଇଁ ସହାୟତା ଏବଂ ଉଦ୍ୟମିତା ତଥା ପ୍ରଯୁକ୍ତି ଗ୍ରହଣକୁ ପ୍ରୋତ୍ସାହିତ କରୁଥିବା କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ପ୍ରଶଂସା କରିଥିଲେ।
ସରକାରୀ ସହାୟତାର ଅନ୍ତିମ ପର୍ଯ୍ୟାୟ ବିତରଣକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର, ଆର୍ôଥକ ସଂସ୍ଥା ଏବଂ ଶିଳ୍ପ ସଙ୍ଗଠନଗୁଡ଼ିକୁ ଜିଲ୍ଲାସ୍ତରରେ ସୁବିଧାକରଣ, ସଚେତନତା, ମାର୍ଗଦର୍ଶନ ଓ ସହାୟତା ଏବଂ ସ୍ଥାନୀୟ ଉଦ୍ୟୋଗ କେନ୍ଦ୍ରଗୁଡ଼ିକୁ ସୁଦୃଢ଼ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଉଦ୍ୟୋଗୀମାନଙ୍କୁ ପୁଞ୍ଜି, ପ୍ରଯୁକ୍ତି, ତାଲିମ ଏବଂ ବଜାରରେ ସହଜ ପ୍ରବେଶ ମିଳିବା ଉଚିତ ବୋଲି ରାଜ୍ୟପାଳ କହିଥିଲେ। ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମିତା, ଉତ୍ପାଦନ ଏବଂ ଆତ୍ମନିର୍ଭରତା ଉପରେ ଗୁରୁତ୍ୱକୁ ପ୍ରଶଂସା କରିବା ସହ ପିଏମଇଜିପି, ମୁଦ୍ରା, ସିଜିଟିଏମଏସଇ, ଷ୍ଟାର୍ଟଅପ ଇଣ୍ଡିଆ, ଷ୍ଟାଣ୍ଡ-ଅପ ଇଣ୍ଡିଆ, ପିଏମ ବିଶ୍ୱକର୍ମା, ରାମ୍ପ ଏବଂ ଏମଏସଏମଇ ଚମ୍ପିଅନ କାର୍ଯ୍ୟକ୍ରମ ଭଳି ଯୋଜନାଗୁଡ଼ିକୁ ରାଜ୍ୟପାଳ ଉଲ୍ଲେଖ କରିଥିଲେ।
କ୍ଲଷ୍ଟର ବିକାଶ, ସାଧାରଣ ଭିତିଭୂମି, ପ୍ରଯୁକ୍ତି ଅବଲମ୍ବନ, ଦକ୍ଷତା ବିକାଶ, ବଜାର ପ୍ରବେଶ, ଶିଳ୍ପ ପ୍ରଦର୍ଶନୀ ଏବଂ କ୍ରେତା-ବିକ୍ରେତା ମିଟିଂ ଆଦି କ୍ଷେତ୍ରରେ ଓଏଏସଏମଇର କାର୍ଯ୍ୟକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି। ଏମଏସଏମଇ ଆନ୍ଦୋଳନକୁ ଓଡ଼ିଶାର ଅଭ୍ୟନ୍ତରୀଣ ଅଂଚଳରେ ପ୍ରସାରିତ କରିବା ପାଇଁ ଆହ୍ୱାନ ଦେଇ ରାଜ୍ୟପାଳ ସ୍ଥାନୀୟ ପରିବେଶ, ଶିଳ୍ପ କ୍ଲଷ୍ଟର, ସଂଯୋଗ, ଦକ୍ଷତା, ପୁଞ୍ଜି ଏବଂ ବଜାର ସଂଯୋଗକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଏମଏସଏମଇଗୁଡ଼ିକୁ ଆଧୁନିକ ଯନ୍ତ୍ରପାତି, ଡିଜିଟାଲ୍ ଉପକରଣ, କୃତ୍ରିମ ବୁଦ୍ଧିମତା, ନବୀକରଣୀୟ ଶକ୍ତି, ଗୁଣବତା ପ୍ରମାଣପତ୍ର ଏବଂ ବର୍ଜ୍ୟବସ୍ତୁ ହ୍ରାସ ଗ୍ରହଣ କରି ଅଧିକ ଉତ୍ପାଦନଶୀଳ ଏବଂ ସ୍ଥାୟୀ ହେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।
ସ୍ଥାନୀୟ କୌଶଳକୁ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ଉତ୍ପାଦରେ ରୂପାନ୍ତରିତ କରିବା ପାଇଁ ଷ୍ଟାର୍ଟଅପ, ବିଶ୍ୱବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ ଏବଂ ପ୍ରତିଷ୍ଠିତ ଏମଏସଏମଇ ମଧ୍ୟରେ ଅଧିକ ସହଯୋଗର ଆବଶ୍ୟକତା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।
ପଶ୍ଚିମ ଏସିଆର ଭୂ-ରାଜନୈତିକ ଉତେଜନା ଏବଂ ଆମଦାନୀ କରାଯାଉଥିବା ଅଶୋଧିତ ତୈଳ ଉପରେ ଭାରତର ନିର୍ଭରଶୀଳତାକୁ ଉଲ୍ଲେଖ ଏମଏସଏମଇଗୁଡ଼ିକର ସ୍ଥାୟୀ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ଏବଂ କ୍ରମଶଃ ବୈଦ୍ୟୁତିକ ଯାନର ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ଆମଦାନୀ କରାଯାଉଥିବା ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ, ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ବିଦେଶୀ ମୁଦ୍ରା ସଂଚୟ ଉପରେ ଚାପକୁ ହ୍ରାସ କରାଯାଇପାରିବ ବୋଲି ରାଜ୍ୟପାଳ କହିଥିଲେ। ରାଜ୍ୟପାଳଙ୍କ ସରକାରୀ କାରକେଡରେ ବୈଦ୍ୟୁତିକ ଯାନର ବ୍ୟବହାର ବିଷୟରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ସାମୂହିକ ଆଚରଣଗତ ପରିବର୍ତନ ସ୍ଥାୟୀ ବିକାଶ ଏବଂ ଜାତୀୟ ଆତ୍ମନିର୍ଭରତାରେ ଯୋଗଦାନ କରିପାରିବ। ଅଂଶଗ୍ରହଣକାରୀମାନଙ୍କୁ ସ୍ୱଚ୍ଛ ଶକ୍ତି ଉତ୍ପାଦନ ପାଇଁ ରୂଫ ଟପ ସୋଲାର ସିଷ୍ଟମ ସ୍ଥାପନ କରିବାକୁ ମଧ୍ୟ ରାଜ୍ୟପାଳ ଆହ୍ୱାନ ଜଣାଇ ଥିଲେ।
ଏହି ଅବସରରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ, ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ, ଶିଳ୍ପ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ) ହେମନ୍ତ ଶର୍ମା, କମିଶନର-ତଥା-ଶାସନ ସଚିବ (ଏମଏସଏମଇ ବିଭାଗ) ଶ୍ରୀମତୀ ରଶ୍ମିତା ପଣ୍ଡା, ନାଲକୋର ଚେୟାରମ୍ୟାନ-ତଥା-ମ୍ୟାନେଜିଙ୍ଗ ଡାଇରେକ୍ଟର ୀ ବିଜେନ୍ଦ୍ର ପ୍ରତାପ ସିଂହ ଏବଂ ଓଏଏସଏମଇର ସେକ୍ରେଟାରୀ ଜେନେରାଲ ସାତ୍ୱିକ ସ୍ୱାଇଁ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଏଏସଏମଇର ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା