ଝାରସୁଗୁଡ଼ାରେ 'ହର ଘର ତ୍ରିରଙ୍ଗା-୨୦୨୬' ; ଉତ୍ସବମୁଖର ପରିବେଶରେ ବାହାରିଲା ବିଶାଳ ପଦଯାତ୍ରା
Har ghar tiranga in Jharsuguda
Har ghar tiranga


ଝାରସୁଗୁଡ଼ା, 12 ଅଗଷ୍ଟ (ହି.ସ.)- ‘ହର ଘର ତ୍ରିରଙ୍ଗା - ୨୦୨୬’ ଅଭିଯାନ ଉପଲକ୍ଷେ ଆଜି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଏକ ଭବ୍ୟ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ପଦଯାତ୍ରା ଆୟୋଜିତ ହୋଇଯାଇଛି। ସକାଳ ୮.୦୦ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ବିଶାଳ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ଏହି ଭବ୍ୟ ସମାରୋହର ମୁଖ୍ୟ ଅତିଥି ଭାବେ ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିମାନଙ୍କୁ ଉତ୍ତରୀୟ ଏବଂ ଚାରା ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥିସହ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ଏବଂ ଜାତୀୟ ସଂଗୀତ ଜନ ଗଣ ମନ ଗାନ କରାଯାଇଥିଲା। ଏହାପରେ ବିଧାୟକ ଟଙ୍କଧର ତ୍ରିପାଠୀ ସବୁଜ ପତାକା ଦେଖାଇ ରାଲିର ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି ରାଲିଟି କିଶାନ ଛକ, ପୁରୁଣା ବସଷ୍ଟାଣ୍ଡ ଛକ, ଏବଂ ଝଣ୍ଡା ଛକ ଦେଇ ପରିକ୍ରମା କରିବା ପରେ ମନମୋହନ ଏମ. ଇ. ସ୍କୁଲ ପଡ଼ିଆରେ ସମାପ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୪ ହଜାରରୁ ଅଧିକ ଜନସାଧାରଣ, ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ, ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ ହୋଇ ଜାତୀୟ ପତାକା ପ୍ରତି ଅପୂର୍ବ ଉତ୍ସାହ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସମଗ୍ର ଦେଶରେ ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହେଉଛି। ଏହି ଅବସରରେ ଆଜି ଝାରସୁଗୁଡ଼ାରେ ଆୟୋଜିତ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ଯାତ୍ରାରେ ଯୋଗଦେଇ ଦେଶର ଗୌରବମୟ ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶଭକ୍ତିର ଭାବନାକୁ ଆହୁରି ଦୃଢ଼ କରିବାର ସୁଯୋଗ ପ୍ରାପ୍ତ ହୋଇଛି।

ଏହି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା ପ୍ରାୟ ୩୦୦ ମିଟର ଦୀର୍ଘ ବିଶାଳ ତ୍ରିରଙ୍ଗା ପତାକା। ସ୍କୁଲ-କଲେଜର ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଓ ସାଧାରଣ ଜନତା ସମ୍ମିଳିତ ରାଲିରେ ଗୌରବର ସହ ଏହି ଦୀର୍ଘ ପତାକାକୁ ବହନ କରି ସମଗ୍ର ନଗର ପରିକ୍ରମା କରିଥିଲେ। ଏହି ଅବସରରେ ମନ୍ତ୍ରୀଙ୍କ ପ୍ରତିନିଧି ନଭଲ ଅଗ୍ରୱାଲ, ସାଂସଦଙ୍କ ପ୍ରତିନିଧି ରଘୁନନ୍ଦନ ପଣ୍ଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜ ବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଳିତ ସୋରେଙ୍ଗ, ଏବଂ ଓଏସଏପି ଦ୍ୱିତୀୟ ବାହିନୀର କମାଣ୍ଡାଣ୍ଟ ପ୍ରସାଦ ତମାଙ୍ଗ ପ୍ରମୁଖ ଯୋଗଦେଇଥିଲେ। ଏହି ସଂପୂର୍ଣ୍ଣ ସମାରୋହର ମଞ୍ଚ ପରିଚାଳନା, ସଂଯୋଜନା ଏବଂ ଉପସ୍ଥାପନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିଆରସିଂହ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ଏଥିସହିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଏବଂ ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଅମ୍ରିତ ଆଚାର୍ଯ୍ୟ ସହ-ସଂଯୋଜନା କରି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସାଧାରଣ ଜନତା ଏବଂ ସାମିଲ ହୋଇଥିବା ପଦଯାତ୍ରୀଙ୍କ ସୁବିଧା ପାଇଁ ମନମୋହନ ଏମ. ଇ. ସ୍କୁଲ ପଡ଼ିଆରେ ପାନୀୟ ଜଳ ଏବଂ ଅସ୍ଥାୟୀ ଶୌଚାଳୟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଏହି ବିଶାଳ ଆୟୋଜନକୁ ସଫଳ କରିବାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ନିହାଲ ଭୋଇ, ରବୀନ୍ଦ୍ର ନିଆଲ ଏବଂ ଜିଲ୍ଲା ସଂସ୍କୃତି ବିଭାଗର କର୍ମଚାରୀ ଏଲିସ୍ ପଟେଲ, ଧୀରଜ ରୋଷନ୍ ପ୍ରଧାନ, ଓ ରାଜେଶ ସେଠ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande