
ସୁବର୍ଣ୍ଣପୁର, ୧୨ ଅଗଷ୍ଟ(ହି.ସ.) – ସୋନପୁର ବିଜୁ ପଟ୍ଟନାୟକ ମହିଳା ସ୍ନାତକ ମହାବିଦ୍ୟାଳୟରେ ଚାଲିଥିବା ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ରୀତାରାଣୀ ପୂଜାରୀ ସଭାପତିତ୍ୱ କରିଥିଲେ। ସର୍ବମୋଟ ୨୦ଟି ପ୍ରକଳ୍ପ ମଧ୍ୟରୁ ୩ ଗୋଟି ବେଷ୍ଟ ପ୍ରକଳ୍ପକୁ ଚୟନ କରାଯାଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ପଠାଯିବ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସୋନପୁରର ଜଣାଶୁଣା ବ୍ୟବସାୟୀ ଶୁକ୍ଳାମ୍ବର ପାଣିଗ୍ରାହୀ ଓ ଆଲୁମିନି କମିଟିର ସଦସ୍ୟା ସୁଶ୍ରୀ ଉଷାଶ୍ରୀ ସରାଫ ବିଚାରକ ଭାବେ ଯୋଗଦେଇ ସଫଳ ଉଦ୍ୟୋଗୀ ହେବାକୁ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରୋଗ୍ରାମ ଅଫିସର ତଥା ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଦୁଃଖିଶ୍ୟାମ ମେହେର ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମର ମହତ୍ୱ ଏବଂ ଉଦ୍ଦେଶ୍ୟ ବିଷୟରେ ଛାତ୍ରୀମାନଙ୍କୁ ବୁଝାଇଥିଲେ। ଗଣିତ ଅଧ୍ୟାପକ କ୍ଷୀରୋଦ କୁମାର ମେହେର ସଭା ପରିଚାଳନା କରିଥିବାବେଳେ ରସାୟନ ବିଜ୍ଞାନ ଡେମନଷ୍ଟ୍ରେଟର ମଦନ ମୋହନ ପଣ୍ଡା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନ୍ତର୍ଯ୍ୟାମୀ ମିଶ୍ର, ଚେରବୁଇ ହୋତା, ଦିନେଶ କୁମାର ନାଏକ, ସୁଦାମ ଚରଣ ସାହୁ, ପ୍ରଦୀପ୍ତ କୁମାର ଦାସ, ମିତ୍ରଭାନୁ ଦନ୍ତା, ହରିଓମ୍ କୁଶଲ, ଆଶୁତୋଷ ପର୍ଡିଆ, ଉମାକାନ୍ତ ସୁନା, ସୁରେନ୍ଦ୍ର ଛତ୍ରିଆ, ସୁପ୍ରିୟା ହୋତାଙ୍କ ସମେତ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ