
ନୂଆପଡ଼ା, ୧୨ ଅଗଷ୍ଟ(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଶିକ୍ଷାକେନ୍ଦ୍ର ତଦାରଖ କମିଟି ପକ୍ଷରୁ ଆଜି କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ବିଲ୍ଡିଂ ପରିଦର୍ଶନ କରାଯାଇଛି। ବିଦ୍ୟାଳୟରେ ଉପଲବ୍ଧ ସୁବିଧାଗୁଡ଼ିକ ତଦାରଖ କରିବା ସହ ବକେୟା ରହିଥିବା ଆନୁଷଙ୍ଗିକ ବ୍ୟବସ୍ଥାଗୁଡ଼ିକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ କମିଟି ସଦସ୍ୟମାନେ ଅନୁରୋଧ କରିଛନ୍ତି। ପରିଦର୍ଶନ ସମୟରେ ଶିକ୍ଷକମାନଙ୍କ ସରକାରୀ ବାସଭବନ ଓ ବିଦ୍ୟାଳୟ ମଧ୍ୟରେ ପାଚେରୀ ନିର୍ମାଣ, ଅତିରିକ୍ତ ନୂତନ ‘ସି-ଟାଇପ୍’ କ୍ୱାର୍ଟର ନିର୍ମାଣ ଏବଂ କମ୍ପ୍ୟୁଟର ଲାବ୍ ଓ ଅଧ୍ୟକ୍ଷଙ୍କ କୋଠରୀରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଖଞ୍ଜିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ଲାବ୍ଗୁଡ଼ିକରେ ଆବଶ୍ୟକ ଫର୍ନିଚର ବ୍ୟବସ୍ଥା, କ୍ରୀଡ଼ା ପାଇଁ ଖେଳ ପଡ଼ିଆର ଉନ୍ନତିକରଣ, ଆସେମ୍ବ୍ଲି ହଲ୍ ଷ୍ଟେଜ୍ରେ ପଙ୍ଖା ଖଞ୍ଜିବା ଏବଂ ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ପ୍ଲାଇଉଡ୍ ସଟର ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟ ପରିସରକୁ ଅଧିକ ଆକର୍ଷଣୀୟ ଓ ପରିବେଶ ଅନୁକୂଳ କରିବା ପାଇଁ ହାତୀ, ଜିରାଫ ଓ ଡାଇନୋସର ଆକୃତିର ବର୍ଜ୍ୟବସ୍ତୁ ମୂର୍ତି ନିର୍ମାଣ କରି ସେଥିରେ ଚାରାରୋପଣ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି। ଏଥିସହ ତିନି ମହଲା ବିଶିଷ୍ଟ କୋଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଆଓର୍ ଫିଲ୍ଟର ସହ କୁଲର ବ୍ୟବସ୍ଥା, ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଖଞ୍ଜିବା ଭଳି ବିଭିନ୍ନ ପଦକ୍ଷେପ ନେବାକୁ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଶିକ୍ଷାନୁଷ୍ଠାନର ସୁବିଧା ଓ ପରିବେଶର ଉନ୍ନତି ପାଇଁ ଉକ୍ତ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମ୍ପାଦନ କରିବାକୁ କମିଟି ସଦସ୍ୟମାନେ ଅନୁରୋଧ କରିଛନ୍ତି। ଏହି ତଦାରଖ କମିଟିରେ ବିଡ଼ିଓ ମିଳନ କୁମାର ଝାଙ୍କର, ତହସିଲଦାର ନରସିଂହ ଗଦବା, କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ, ତପନ ରଞ୍ଜନ ଦାଶ ପ୍ରମୁଖ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ