




ସମ୍ବଲପୁର, ୧୨, ଅଗଷ୍ଟ (ହି.ସ.) - ସମ୍ବଲପୁରରେ ଗତ ମଙ୍ଗଳବାର ପ୍ରାୟ ରାତି ୨ରୁ ୩ଟା ମଧ୍ୟରେ ଟାଉନ୍ ଥାନା ଅନ୍ତର୍ଗତ ଫିସରିବନ୍ଧ ନିକଟରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଲୁଟ୍ ଉଦ୍ୟମରେ ହତ୍ୟା କରାଯାଇଛି। ମୃତକ ଜଣଙ୍କ କ୍ଷେତରାଜପୁର ଅଞ୍ଚଳର ଗୋପାଳ ବଂଶଲ ବୋଲି ଜଣାପଡ଼ିଛି। ଏହି ଘଟଣାର ସୁରାକ୍ ପାଇବା ପରେ ପୋଲିସ ତୁରନ୍ତ ଛାନଭିନ୍ କରି ଦୁଇଜଣ ସନ୍ଦିଗ୍ଧଙ୍କୁ ଧରି ଥାନାକୁ ନେଇ ଜୋରଦାର ଜେରା କରୁଛି। ତେବେ ପୋଲିସର ପ୍ରାଥମିକ ପଚରା ଉଚରାରେ ସେମାନେ ଲୁଟ୍ ଉଦ୍ୟମରେ ବଳ ପ୍ରୟୋଗ କରି ମାଡ ମାରିଥିବା ଓ ଶେଷରେ ଉଭୟେ ଏକ ବଡ ପଥରରେ ଗୋପାଳଙ୍କ ମୁଣ୍ଡକୁ ଶକ୍ତ ମାଡ଼ ମାରି ନିସ୍ତେଜ କରିଥିବା ସ୍ୱୀକାର କରିଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏହି ଖବର ପ୍ରେରଣ ସୁଦ୍ଧା ମୃତକଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଲିଖିତ ଏତଲା ଦିଆଯାଇନଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡ ଘଟଣାରେ ଧରା ପଡ଼ିଥିବା ଦୁଇଜଣଙ୍କ ବିରୋଧରେ ପୂର୍ବରୁ ଅନ୍ୟ କୌଣସି ଥାନାରେ କିଛି ମାମଲା ରହିଛି କି ନାହିଁ ସେନେଇ ପୋଲିସ ତଦନ୍ତକୁ ଜୋରଦାର କରିଛି। ଏତେବଡ଼ ଘଟଣା ଘଟିବାର ସ୍ବଳ୍ପ ସମୟ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଧରି ପାରିଥିବାରୁ ପୋଲିସର ତତ୍ପରତାକୁ ସାଧାରଣରେ ବେଶ୍ ଉଚ୍ଚ ପ୍ରଶଂସା କରାଯାଇଛି। ତେବେ ବିଳମ୍ବିତ ରାତି ସମୟରେ ଜଣେ ବ୍ୟକ୍ତିଙ୍କ ଏଭଳି ଜୀବନ ଚାଲିଯିବା ଘଟଣା ସହରର ଆଇନଶୃଙ୍ଖଳା ଓ ନାଗରିକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ