
ବଲାଙ୍ଗୀର, ୧୨ ଅଗଷ୍ଟ(ହି.ସ.) – ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌରଗୋଠ ପଂଚାୟତର ଗୌରଗୋଠ ପଂଚାୟତ କାର୍ଯ୍ୟାଳୟରେ ସେଠାକାର ଚାଷୀ ଓ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ବିଶେଷ କରି ଗତ ମାସର ଅତ୍ୟଧିକ ବର୍ଷା ଜନିତ ଚାଷ କ୍ଷୟକ୍ଷତିକୁ ନେଇ ଚାଷୀମାନେ ଘୋର ଅସନ୍ତୋଷ ଥିବା ଦେଖାଦେଇଥିଲା। ଜିଲ୍ଲା ତଥା ରାଜ୍ୟସାର ପ୍ରବଳ ବର୍ଷାରେ ଚାଷ ସହିତ ଅନେକ ଧନ ଜୀବନ କ୍ଷତି ହୋଇଥିଲା। ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ସରକାରଙ୍କ ଅଧିକାରୀମାନେ କ୍ଷୟକ୍ଷତି ଆକଳନ ସରକାରଙ୍କ ପାଖକୁ ପଠେଇଥିବାବେଳେ ଦେଓଗାଁ ବ୍ଲକର ଗୌରଗୋଠ ପଂଚାୟତର ଚାଷୀଙ୍କ କ୍ଷୟକ୍ଷତିକୁ ପ୍ରଶାସନ ତଥା ସରକାର ଅଣଦେଖା କରୁଛି। ପ୍ରବଳ ବର୍ଷାରେ ଏ ଅଂଚଳରେ ଅନେକ ଗରୀବ ଲୋକଙ୍କ ଘର ଭାଙ୍ଗିବା ସହ ଚାଷଜମିମାନଙ୍କରେ ପାଣି ମାଡ଼ି ବାଲିଚର ହୋଇଯାଇଥିଲା କିନ୍ତୁ କୃଷିି ଓ ରାଜସ୍ୱ ବିଭାଗକୁ ଏହି ସମସ୍ୟା ସମ୍ବନ୍ଧରେ ଯେତେ ଜଣାଇଲେ ମଧ୍ୟ ବିଭାଗ କର୍ଣ୍ଣପାତ କରୁନାହିଁ ବୋଲି ଚାଷୀମାନେ ନରସିଂହଙ୍କ ଆଗରେ ଅଭିଯୋଗ କରିଥିଲେ ଏବଂ ଏହା ମଧ୍ୟ ସେମାନେ କହିଥିଲେ ଯେ ଯଦି ସଂପୃକ୍ତ ବିଭାଗ ତରଫରୁ କ୍ଷୟକ୍ଷତି ଆକଳନ ପାଇଁ ପଦକ୍ଷେପ ନିଆନଯାଏ ତେବେ ଏହାକୁ ନେଇ ଚାଷୀମାନେ ଆନ୍ଦୋଳନର ପନ୍ଥା ଗ୍ରହଣ କରିବେ ବୋଲି କହିଥିଲେ। ତା’ସହ ଚାଷକାମ ଆରମ୍ଭବେଳେ ଦରକାର ହେଉଥିବା ସାର ଦୁଇଗୁଣ ରେଟ୍ରେ କଳାବଜାରି ହେଉଥିବା ଅଭିଯୋଗ ଆସିଥିଲା। ତା’ ସହ ନକଲି ସାରକୁ ନେଇ ଚାଷୀ ଅନେକ କ୍ଷତି ସହୁଥିବାର ଲୋକେ କହିଥିଲେ। ଗୌରଗୋଠର ୪ ଓ ୫ ନମ୍ବର ୱାର୍ଡ଼ର ଦଳିତ ଲୋକେ ବର୍ଷା ଦିନେ ମଧ୍ୟ ପିଇବା ପାଣି ପାଉନଥିବା ଅଭିଯୋଗ କରିଥିଲେ। ଅର୍ଜୁନପୁର ପଂଚାୟତରେ ମଧ୍ୟ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଉଦାସିନତା ଯୋଗୁଁ ଘରକୁ ଘର ପାନୀୟ ଜଳ ଯୋଗାଣ ସମ୍ପୁର୍ଣ୍ଣ ଫେଲ୍ ମାରିଥିବାର ଦେଖାଯାଇଥିଲା। ତେଲ ନଦୀରୁ ଗ୍ରୀଷ୍ମ ଋତୁ ତ ଦୂରର କଥା ବର୍ଷା ଦିନରେ ମଧ୍ୟ ପିଇବା ପାଣି ପାଉନଥିବାରୁ ଲୋକେ ଏ ଅଂଚଳରେ ଗଭିର ନଳକୂପ ଖନନ କରି ପିଇବା ପାଣି ଯୋଗାଇବାର ବ୍ୟବସ୍ଥା କରିବାକୁ ନରସିଂହଙ୍କ ଆଗରେ ଦାବି କରିଥିଲେ। ଏହାସହ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପାଇପ ସଂଯୋଗ ପାଇଁ ଯୋଜନା ବିହିନ ଭାବରେ ରାସ୍ତା ଖୋଳି ଦେଉଥିବାରୁ ଲୋକେ ଯାତାୟତରେ ଅନେକ ଅସୁବିଧା ସହ ଦୁର୍ଘଟଣା ସମ୍ମୁଖିନ ହେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଥିଲେ। ଏହିସବୁ ଅଭିଯୋଗକୁ ନେଇ ଶ୍ରୀ ମିଶ୍ର କୃଷି, ରାଜସ୍ୱ ଓ ଗ୍ରାମ୍ୟ ଜଳଯୋଗାଣ ସଂସ୍ଥାର ଅଧିକାରୀମାନଙ୍କ ସହ ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଜିର ଏହି ଆଲୋଚନାବେଳେ ଶ୍ରୀ ମିଶ୍ରଙ୍କ ସହ ବ୍ଲକ ଉପାଧ୍ୟକ୍ଷା ସୁଶ୍ରୀ ସୂର୍ଯ୍ୟକାନ୍ତି ଛତ୍ରିଆ, ବର୍ଷିୟାନ ନେତା ଗୁଣନିଧି ସାହୁ, ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରି, ମୟ ପ୍ରଧାନୀ, କାନ୍ତେଶ୍ୱର ପଧାନ, ବିକାଶ ସାହୁ, ବିିଶ୍ୱଜିତ ପାତ୍ର, ଶୁଶିଲ ରଣା, ବୁଦ୍ଧଦେବ ସାହୁ, ସୁଧିର ସାହୁ, ଜିତୁ ରଣା, ହରିଶ୍ଚନ୍ଦ୍ର ଭୋଇ, ମନବୋଧ ହରପାଲି, ଅଜିତ ରଣା, ପିତାମ୍ବର ମଲ୍ଲିକ, ନେହେରୁ ଦୀପ, ନେତ୍ରା ଦୀପ, କଂଗ୍ରେସ ନେତା ଅସୀତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ