
ନୂଆଦିଲ୍ଲୀ, ୧୨ ଅଗଷ୍ଟ (ହି.ସ.)- କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ବିରୋଧୀଙ୍କ ଉପରେ ସଂସଦର କାର୍ଯ୍ୟବାହୀ ବାଧାପ୍ରାପ୍ତ କରିବାର ଅଭିଯୋଗ ଲଗାଇ କହିଛନ୍ତି ଯେ ସରକାର ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ। ସେ କହିଛନ୍ତି ଯେ ବିରୋଧୀ ଆଜି ଅପରାହ୍ନ ତିନିଟା ସୁଦ୍ଧା ଲୋକସଭା ବାଚସ୍ପତିଙ୍କୁ ଆଲୋଚନା ପାଇଁ ପତ୍ର ଦିଅନ୍ତୁ, ସରକାର ତିନିଟାରୁ ପରଦିନ ତିନିଟା ପର୍ଯ୍ୟନ୍ତ ଆଲୋଚନା କରାଇବା ପାଇଁ ପ୍ରସ୍ତୁତ ଏବଂ ସେ ନିଜେ ସଦନରେ ଉପସ୍ଥିତ ରହି ସମସ୍ତ ପ୍ରଶ୍ନର ଉତର ଦେବେ।
ଶାହ ସଂସଦ ପରିସରରେ ସାମ୍ବାଦିକମାନଙ୍କ ସହ କଥାବାର୍ତାରେ କହିଛନ୍ତି ଯେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ସେ ନିୟମିତ ଭାବେ ସଂସଦକୁ ଆସୁଛନ୍ତି ଏବଂ ନିଜ କକ୍ଷରେ ଉପସ୍ଥିତ ରହୁଛନ୍ତି, କିନ୍ତୁ ବିରୋଧୀ ଉଭୟ ସଦନର କାର୍ଯ୍ୟବାହୀ ଚାଲିବାକୁ ଦେଉନାହାନ୍ତି। ଏପରି ସ୍ଥିତିରେ ସଦନ ଭିତରକୁ ଯାଇ ମଧ୍ୟ କଣ କରାଯାଇପାରିବ। ସେ କହିଛନ୍ତି ଯେ ଏବେ ଜନତା ନିଷ୍ପତି ନେବା ଉଚିତ ଯେ ପ୍ରକୃତରେ କିଏ ପଳାଉଛି।
ଗୃହମନ୍ତ୍ରୀ କହିଛନ୍ତି ଯେ ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରେନ ରିଜିଜୁ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ସରକାର ନିଟ୍ ସମ୍ବନ୍ଧୀୟ ଛାତ୍ରମାନଙ୍କ ବିରୋଧ-ପ୍ରଦର୍ଶନର ସମସ୍ତ ଦିଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ। ସେ କହିଛନ୍ତି ଯେ ବିରୋଧୀଙ୍କ ପ୍ରାରମ୍ଭିକ ଦାବି ଥିଲା ଯେ ଆଲୋଚନା ପାଇଁ ସମୟ ନିର୍ଦ୍ଧାରଣ କରାଯାଉ ଏବଂ ସରକାର ଏଥିପାଇଁ ସହମତ ହୋଇଥିଲେ। ସେ ନିଜେ ମଧ୍ୟ ସଂସଦରେ ଉଠାଯିବାକୁ ଥିବା ପ୍ରତ୍ୟେକ ପ୍ରଶ୍ନର ଉତର ଦେବା ପାଇଁ ପ୍ରସ୍ତୁତ, କିନ୍ତୁ ବିରୋଧୀ ଆଲୋଚନା ହେବାକୁ ହିଁ ଦେବାକୁ ଚାହୁଁନାହାନ୍ତି।
ସେ କହିଛନ୍ତି ଯେ ସରକାରଙ୍କ ପାଖରେ ଲୁଚାଇବା ପାଇଁ କିଛି ନାହିଁ। ଶାହ କହିଛନ୍ତି ଯେ ସରକାର କେବଳ ବୟାନ ଦେବା ପରିବର୍ତେ ସଂସଦୀୟ ନିୟମ ଏବଂ ପ୍ରତିଷ୍ଠିତ ପ୍ରକ୍ରିୟା ଅନୁଯାୟୀ ବିସ୍ତୃତ ଆଲୋଚନା ସପକ୍ଷରେ ଅଛନ୍ତି। ସେ କହିଛନ୍ତି ଯେ ଗମ୍ଭୀର ବିଷୟଗୁଡ଼ିକ ଉପରେ ସଂସଦରେ ବିସ୍ତୃତ ଆଲୋଚନା ହୁଏ ଏବଂ ଏହା ହିଁ ସଂସଦୀୟ ପଦ୍ଧତି।
ଶାହ କହିଛନ୍ତି ଯେ ସେ ଆଜି ଅପରାହ୍ନ ତିନିଟାରୁ ଆଲୋଚନା ଆରମ୍ଭ କରି ପରଦିନ ତିନିଟା ପର୍ଯ୍ୟନ୍ତ ଜାରି ରଖିବା ପାଇଁ ପ୍ରସ୍ତୁତ। ଆବଶ୍ୟକ ପଡ଼ିଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସଦନରେ ବସି ଆଲୋଚନା ଜାରି ରଖିବା ପାଇଁ ମଧ୍ୟ ସେ ପ୍ରସ୍ତୁତ। ସେ ଏପରିକି କହିଛନ୍ତି ଯେ ଯଦି ଲୋକସଭା ବାଚସ୍ପତି ଅନୁମତି ଦିଅନ୍ତି ତେବେ ପ୍ରଶ୍ନକାଳକୁ ସ୍ଥଗିତ କରି ଆଲୋଚନାକୁ ଆଗକୁ ବଢ଼ାଯାଇପାରେ।
-------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ