
ମାଲକାନଗିରି, ୧୨ ଅଗଷ୍ଟ (ହି.ସ.) - ବିଦ୍ୟାଳୟ ମାଳମାଳ ହେଲେ ମଧ୍ୟ ଭିତିପ୍ରସ୍ତର ଅଭାବ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ବେଜଙ୍ଗିବାଡା ପଂଚାୟତ ଅନ୍ତର୍ଗତ ଏମପିଭି -୨୧ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ । ୨୦୨୩ ମସିହାରୁ ଏଠାରେ +୨ କଳା ଶିକ୍ଷା ଆରମ୍ଭ ହୋଇଛି । ବର୍ତମାନ +୨ ପ୍ରଥମ ବର୍ଷରେ ୧୧୬ ଜଣ ଏବଂ ଦ୍ୱିତୀୟ ବର୍ଷରେ ୧୨୬ ଜଣ ମିଶି ମୋଟ ୨୪୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କିନ୍ତୁ ସେମାନଙ୍କ ପାଇଁ ନା ଅଲଗା ଶ୍ରେଣୀ ଗୃହ ଅଛି, ନା ଶୌଚାଳୟ, ନା ପାନୀୟ ଜଳ ବ୍ୟବସ୍ଥା । ସମୁଦାୟ ବିଦ୍ୟାଳୟରେ ବୋଧ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୪୫୯ ଜଣ ଛାତ୍ରଛାତ୍ରୀ ଥିବାବେଳେ ଆବଶ୍ୟକ ୧୪ ଟି ଶ୍ରେଣୀ ଗୃହ ଥିବା ସ୍ଥାନରେ ମାତ୍ର ୭ ଟି ଶ୍ରେଣୀ ଗୃହ ରହିଛି । ଫଳରେ ବସିବାକୁ ଜାଗା ଅଭାବ ଦେଖାଦେଇଛି । ୫ଟି ଯୋଜନାରେ ତିଆରି ହୋଇଥିବା ପାଇଖାନା ପାଣି ଅଭାବ ଯୋଗୁଁ ବନ୍ଦ ପଡିରହିଛି । କବାଟ ଗୁଡିକ ମଧ୍ୟ ଭାଙ୍ଗିଯାଇଛି । ୪୫୯ ଜଣ ପିଲାଙ୍କ ପାଇଁ ମାତ୍ର ୨ ଟି ଛୋଟ ଓ ୨ ଟି ବଡ ଫିଲଟର ଥିଲେ ମଧ୍ୟ ସେଥିରୁ ପାଣି ବାହାରୁନାହିଁ । ଖେଳପଡିଆ ଛୋଟ ଥିବାରୁ ପିଲାମାନେ ଖେଳିପାରୁନାହାନ୍ତି । ଭୋଜନାଳୟ ନଥିବାରୁ ବର୍ଷା ଦିନେ ମଧ୍ୟାହ୍ନ ଭୋଜନ ବାରଣ୍ଡାରେ କରିବାକୁ ପଡୁଛି । ଏହି ଅବ୍ୟବସ୍ଥା ନେଇ କିଛି ଦିନ ତଳେ ଛାତ୍ରଛାତ୍ରୀମାନେ କାଲିମେଳା ବିଡିଓ ପ୍ରଦୀପ କୁମାର କରଙ୍କୁ ଭେଟି ଅବଗତ କରାଇଥିଲେ । ବୁଧବାର ବିଡିଓ ଶ୍ରୀ କର ବିଦ୍ୟାଳୟ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀଙ୍କ ସମସ୍ୟା ଶୁଣିଥିଲେ । ସେ ଯଥାଶୀଘ୍ର ସମସ୍ୟା ସମାଧାନ କରିବାକୁ ବ୍ଲକର ସହକାରୀ କାର?୍ୟ୍ୟନିର୍ବାହୀ ଯନ୍ତ୍ରୀ ବ୍ରଜେଶ୍ୱର ଦାସ, ଜଳସମ୍ପଦ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପିଠା ସୋରେନ, ଏଇଇ ସୁକୁମାର ପ୍ରଧାନ ଏବଂ ପଂଚାୟତ ନିର୍ବାହୀ ଅଧିକାରୀ ମାନିକ ହାଁସଦାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ସେହିପରି ପିଲାମାନଙ୍କୁ ଯଥାଶୀଘ୍ର ପରିଚୟ ପତ୍ର ଦେଇ ବସ ଭଡାରେ ରିହାତି ଦେବାକୁ ପ୍ରଧାନ ଶିକ୍ଷକ ଶିବଶଙ୍କର ପରମାଣିକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯଥାଶୀଘ୍ର ବିଦ୍ୟାଳୟର ଭିତିଭୂମି ସମସ୍ୟା ଦୂର କରିବାକୁ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ