
ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ) - ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟାକୁ ସ୍ୱଚ୍ଛ, ସହଜ ଓ ସରଳ କରିବା ନିମନ୍ତେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ବର୍ତମାନ ଜାରି ରହିଥିବା ପ୍ରକ୍ରିୟାରେ ପ୍ରାୟ ୮୫ ହଜାର ଚାଷୀ ନିଜର ପଞ୍ଜିକରଣ କରାଇସାରିଲେଣି ।
ବର୍ତମାନ ରାଜ୍ୟରେ ପଞ୍ଜିକରଣ ପ୍ରକ୍ରିୟା ଅଗଷ୍ଟ ୬ ତାରିଖରୁ ଜାରି ରହିଛି ଏବଂ ଏହା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ବର୍ତମାନ ଜାରି ରହିଥିବା ପଞ୍ଜିକରଣ ପ୍ରକ୍ରିୟାରେ ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି (ପାକସ୍), ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି (ଲାମ୍ପସ୍ ) ଏବଂ ପାଣି ପଂଚାୟତରେ ପଞ୍ଜିକରଣ କରିପାରିବେ । ବିନା ଶୁଳ୍କରେ ଚାଷୀମାନଙ୍କୁ ଏହି ପଞ୍ଜିକରଣ ଫର୍ମ ପ୍ରଦାନ କରାଯିବ । ସଂପୃକ୍ତ ଚାଷୀମାନେ ସେମାନଙ୍କ ଆଧାର କାର୍ଡ, ବ୍ୟାଙ୍କ ପାସବୁକ, ଜମି ରେକର୍ଡ, ଆବଶ୍ୟକ ସ୍ଥଳେ ଜମି ମାଲିକଙ୍କ ସମ୍ମତି ପତ୍ର ମଧ୍ୟ ଦାଖଲ କରିବେ । ପଞ୍ଜିକରଣର ସମୟରେ ସୋସାଇଟି ଚାଷୀଙ୍କ ଆଧାର ନମ୍ବର ଓ ମୋବାଇଲ ନଂ ଚ-ଚଇଝ ରେ ଦାଖଲ କରିବେ । ସୋସାଇଟି ଆଇରିସ ସ୍କାନର ମାଧ୍ୟମରେ ଇ- କେୱାଇସି ପ୍ରକ୍ରିୟା ଆରମ୍ଭ କରିବା ସହ ଚାଷୀଙ୍କର ପଞ୍ଜିକରଣ ପ୍ରକ୍ରିୟାକୁ ସମାପ୍ତ କରିବେ ।
ଚଳିତ ବର୍ଷର ବ୍ୟବସ୍ଥା ଅନୁଯାୟୀ ସମ୍ପୃକ୍ତ ସୋସାଇଟିର କର୍ମଚାରୀ ମାନେ ଚାଷୀମାନଙ୍କୁ ନିଜ ପାଖରେ ବସାଇ ଏହି ପଞ୍ଜିକରଣ କରିବେ, ଯାହା ଦ୍ୱାରା ଦାଖଲ ହେଉଥିବା ସମସ୍ତ ତଥ୍ୟ ନିଜେ ଚାଷୀ ଜାଣିପାରିବେ । ଏଥି ସହ ଭାଗଚାଷୀ ହୋଇଥିଲେ ଜମି ମାଲିକଙ୍କ ଆଧାର ନମ୍ବର, ନାମ ଓ ମୋବାଇଲ ନମ୍ବର,ପି -ପାସ୍ ଆବେଦନ ଫର୍ମରେ ଉଲ୍ଲେଖ କରାଯିବା ସହିତ ଜମି ମାଲିକଙ୍କ ସମ୍ମତି ପତ୍ରକୁ ପି-ପାସରେ ଅପଲୋଡ଼ କରାଯିବ । ଏହି କ୍ଷେତ୍ରରେ ଜମି ମାଲିକଙ୍କ ଇ-କେୱାଇସି ମଧ୍ୟ ସମ୍ପର୍ଣ୍ଣ କରାଯିବ । ଏତଦ୍ ବ୍ୟତୀତ, ଯଦି ନିଜ ବ୍ୟତୀତ ଅନ୍ୟ ଅଂଶୀଦାର ବା ଜମିର ରେଜିଷ୍ଟ୍ରେସନ କରୁଥାନ୍ତି ତେବେ ମଧ୍ୟ ଅନ୍ୟ ଅଂଶୀଦାରଙ୍କ ଦ୍ୱାରା ପ୍ରଦତ ସମ୍ମତି ପତ୍ରକୁ ମଧ୍ୟ ପି-ପାସରେ ଅପଲୋଡ଼ କରାଯିବ ।
ଜମି ପଞ୍ଜିକରଣ ସମୟରେ ଯେଉଁ ଚାଷୀ ମାନଙ୍କ ଅଗ୍ରିଷ୍ଟାକ ଆଇଡି ନଂ ନଥିବ ସେମାନେ ପରବର୍ତୀ ସମୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଆଗ୍ରିଷ୍ଟାକ ପଞ୍ଜିକରଣ କରାଇ ପାରିବେ । ଆଗ୍ରିଷ୍ଟାକ ଏକ ସମନ୍ୱିତ କୃଷକ ପ୍ଲାଟଫର୍ମ, ଯେଉଁଥିରେ ଚାଷୀମାନଙ୍କର ତଥ୍ୟ ଏକୀକୃତ ଭାବେ ରହିପାରିବ ।
ଚଳିତ ପଞ୍ଜିକରଣ ପ୍ରକ୍ରିୟା, ବିଭିନ୍ନ ବିଭାଗ ଯଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ କରାଯିବ । ଚାଷୀ ପଞ୍ଜିକରଣବେଳେ ସଂପୃକ୍ତ ଅଂଚଳର ଭିଏଡବ୍ଲୁ ସମିତିରେ ଉପସ୍ଥିତ ରହିବେ । ଏଥି ସହ ରାଜସ୍ୱ ନିରୀକ୍ଷକ ମଧ୍ୟ ଉପସ୍ଥିତ ରହି ଆବେଦନକାରୀଙ୍କୁ ଯଥାଯଥ ସହଯୋଗ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା