
ମୁମ୍ବାଇ (ମହାରାଷ୍ଟ୍ର), ଅଗଷ୍ଟ ୧୨,(ହି.ସ)-ମୁମ୍ବାଇର ଉପକଣ୍ଠ ଘାଟକୋପରର ଅଶୋକ ନଗରରେ ବୁଧବାର ପ୍ରତ୍ୟୁଷରେ ପାହାଡ଼ର ଏକ ଅଂଶ ଗୌସିୟା ଚଲ୍ରେ ଛଅଟି ଘର ଉପରେ ଧସି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ଭଗ୍ନାବଶେଷ ତଳେ ଆହୁରି ଅନେକ ଫସି ରହିଥିବା ଆଶଙ୍କା କରାଯାଉଛି। ଅଗ୍ନିଶମ ବାହିନୀ, ଏନଡିଆରଏଫ ଏବଂ ପୋଲିସ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।ଆଞ୍ଚଳିକ ଡେପୁଟି କମିଶନର ଅଫ୍ ପୋଲିସ କହିଛନ୍ତି ଯେ ଦୁର୍ଘଟଣା ପ୍ରାୟ ୩:୧୫ ସମୟରେ ଘଟିଛି। ଏପର୍ଯ୍ୟନ୍ତ ଭୂସ୍ଖଳନ ଭଗ୍ନାବଶେଷରୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆହୁରି ୬ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି।
ମୁମ୍ବାଇ ମେୟର ରିତୁ ତାୱଡେ କହିଛନ୍ତି ଯେ ଭଗ୍ନାବଶେଷ ଦ୍ୱାରା ଅନେକ ଘର ପ୍ରଭାବିତ ହୋଇଛି। ଅଞ୍ଚଳର କିଛି ଘରକୁ ନୋଟିସ୍ ଜାରି କରାଯାଇଛି। ଏବେ ସମ୍ପୂର୍ଣ୍ଣ ମାମଲା ସମୀକ୍ଷା କରାଯିବ।ଉପକଣ୍ଠ ଜିଲ୍ଲା ମାଜିଷ୍ଟ୍ରେଟ୍ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁଯାୟୀ, ପ୍ରଶାସନର ପ୍ରଥମ ପ୍ରାଥମିକତା ହେଉଛି ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ଏବଂ ନିକଟବର୍ତ୍ତୀ ଦୁର୍ବଳ ଘରକୁ ସୁରକ୍ଷିତ କରିବା। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା