
ପ୍ରଥମ ଥର ପାଇଁ ଏହି ସିଟ୍ ଗୁଡିକରେ ଓଡ଼ିଶାରେ ହେବ କାଉନସିଲିଂ
ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ) - ଓଡ଼ିଶାର ୩ଟି ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି ସିଟ୍ କୁ ଅନୁମୋଦନ ମିଳିଛି । ନୂଆଦିଲ୍ଲୀସ୍ଥିତ ନେସନାଲ ବୋର୍ଡ ଅଫ ଏଗଜାମଇନନେସନ ଇନ ମେଡ଼ିକାଲ ସାଇନ୍ସ ପକ୍ଷରୁ ରାଜ୍ୟର ୩ଟି ସରକାରୀ ମେଡିକାଲ କଲେଜରେ ୫ଟି ବ୍ରଡ୍ ସ୍ପେସିଆଲିଟିରେ ମୋଟ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି ସିଟକୁ ମାନ୍ୟତା ପ୍ରଦାନ କରାଯାଇଛି ।
ଏହି ମାନ୍ୟତାପ୍ରାପ୍ତ ସିଟ୍ ଗୁଡ଼ିକ ଶିଶୁ ଚିକିତ୍ସା, ପ୍ରସୂତି ଓ ସ୍ତ୍ରୀରୋଗ , ଚକ୍ଷୁ ରୋଗ , ଟି.ବି. ଓ ଛାତି ରୋଗ ଏବଂ ନିଶ୍ଚେତନ ବିଜ୍ଞାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅନୁମୋଦନ ମିଳିଛି । ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ , ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ, କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଏହି ସିଟକୁ ମାନ୍ୟତା ପ୍ରଦାନ କରାଯାଇଛି । ମୋଟ ୧୧ଟି ସିଟ ମଧ୍ୟରୁ ୦୫ଟି ସିଟ୍ ଓଡ଼ିଶାର ଚାକିରିରେ ଥିବା ଡାକ୍ତରମାନଙ୍କ ପାଇଁ ସଂରକ୍ଷିତ ରହିବ ଏବଂ ୦୬ଟି ସିଟ୍ ସର୍ବଭାରତୀୟ କୋଟା ଅଧୀନରେ ଉପଲବ୍ଧ ହେବ।
ଏହି ନୂତନ ପୋଷ୍ଟ-ଡିପ୍ଲୋମା ଡିଏନବି ପ୍ରଶିକ୍ଷଣ ସୁଯୋଗ ରାଜ୍ୟରେ ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି କରିବ। ଏହା ଫଳରେ ରାଜ୍ୟବାସୀଙ୍କୁ ଉନ୍ନତମାନର ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଅଧିକ ସହଜରେ ଉପଲବ୍ଧ କରାଇବାରେ ସହାୟତା ମିଳିବ।
ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟର ଡାକ୍ତରମାନଙ୍କୁ ନିଜ ସରକାରୀ ସେବା ଜାରି ରଖିବା ସହିତ ଉଚ୍ଚତର ପୋଷ୍ଟଗ୍ରାଜୁଏଟ୍ ପ୍ରଶିକ୍ଷଣ ଓ ବିଶେଷଜ୍ଞତା ହାସଲ କରିବାର ଅଧିକ ସୁଯୋଗ ମିଳିବ। ଏହା ଓଡ଼ିଶାର ଚିକିତ୍ସା ଶିକ୍ଷାର ବିକାଶ ଯାତ୍ରାରେ ଏକ ନୂତନ ମାଇଲଖୁଂଟ ସାବ୍ୟସ୍ତ ହେବ ।
ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କୃତଜ୍ଞତା ଜଣାଇ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଯୋଗୁଁ ଏହା ସମ୍ଭବ ହୋଇଛି । ରାଜ୍ୟରେ ଚିକିତ୍ସା ଶିକ୍ଷାର ବିସ୍ତାର, ଡାକ୍ତରମାନଙ୍କ ପାଇଁ ଅଧିକ ପ୍ରଶିକ୍ଷଣ ସୁଯୋଗ ସୃଷ୍ଟି ଏବଂ ଓଡ଼ିଶାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ କିରଣ ଆଣିଦେଉଛି । ଏହି ସିଟ ଅନୁମୋଦନ ଫଳରେ ପୋଷ୍ଟ-ଡିପ୍ଲୋମା ଡିଏନବିର ସ୍ପେସିଆଲିଷ୍ଟ ଡାକ୍ତର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ହସ୍ପିଟାଲଗୁଡିକର ସେବା ଯୋଗାଇଦେବା ସହଜ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା