
ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ.) - ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶକୁ ତ୍ୱରାନ୍ୱିତ କରିବା, ନିବେଶକଙ୍କ ବିଶ୍ୱାସ ବୃଦ୍ଧି କରିବା ଏବଂ ଉପଭୋକ୍ତାଙ୍କୁ ସୁଲଭ ମୂଲ୍ୟରେ ସବୁଜ ଶକ୍ତି ଉପଲବ୍ଧ କରାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ଅକ୍ଷୟ ଶକ୍ତି ନୀତି-୨୦୨୨ରେ ସଂଶୋଧନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀପରିଷଦ ବୈଠକରେ ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ନୀତି ଅବଧି ମଧ୍ୟରେ ରାଜ୍ୟରେ ସ୍ଥାପିତ ଅକ୍ଷୟ ଶକ୍ତି ପ୍ରକଳ୍ପରୁ ବ୍ୟବହୃତ ବିଦ୍ୟୁତ ଉପରେ ଯୋଗ୍ୟ ନେଟ୍ ମିଟରିଂ ଉପଭୋକ୍ତାଙ୍କୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ତାରିଖଠାରୁ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରତି ୟୁନିଟ୍ ୫୦ ପଇସା ବିଦ୍ୟୁତ ଶୁଳ୍କ ଛାଡ଼ ସୁବିଧା ମିଳିବ। ସେହିପରି, ସ୍ୱତନ୍ତ୍ର ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ପାଇଁ ପ୍ରତି ୟୁନିଟ୍ ୨୦ ପଇସା ରାଜ୍ୟ ସଂଚାରଣ ୟୁଟିଲିଟି ଶୁଳ୍କ ଛାଡ଼ କରାଯିବ।
ପବନ ଶକ୍ତି ପ୍ରକଳ୍ପ ବଂଟନ କ୍ଷେତ୍ରରେ ମଧ୍ୟ ସଂଶୋଧନ କରାଯାଇଛି। ପ୍ରଥମେ ଆସ, ପ୍ରଥମେ ପାଅ ବ୍ୟବସ୍ଥାରେ ପବନ ଶକ୍ତି ପ୍ରକଳ୍ପ ବଂଟନ ପାଇଁ ରହିଥିବା ୫୦୦ ମେଗାୱାଟ୍ର ସାମଗ୍ରିକ ସୀମାକୁ ହଟାଇ ଦିଆଯାଇଛି। ଏହା ଫଳରେ ପବନ ଶକ୍ତି ପ୍ରକଳ୍ପ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବ।
ନୀତିର କାର୍ଯ୍ୟାନ୍ୱୟନକୁ ଅଧିକ ସୁବ୍ୟବସ୍ଥିତ କରିବା ପାଇଁ କାର୍ଯ୍ୟାନ୍ୱୟନ ନିର୍ଦ୍ଦେଶାବଳୀରେ ସମନ୍ୱୟ କରାଯାଇଛି। ପୁରାତନ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ଗ୍ରିଡ୍କୋକୁ ନୋଡାଲ୍ ସଂସ୍ଥା ଭାବେ ନିଯୁକ୍ତ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା