
ପୁରୀ, ୧୨ ଅଗଷ୍ଟ (ହି.ସ.) - ବିଶ୍ୱସ୍ତରରେ ପୁରୀର ଖ୍ୟାତି ବଢୁଛି । ତୀର୍ଥକ୍ଷେତ୍ର ଓ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପୁରୀ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି । ପୁରୀରେ ହେବ ଗ୍ରୀନ ଫିଲ୍ଡ ବିମାନ ବନ୍ଦର । ଉପକୂଳ ରାଜପଥ ଆକର୍ଷଣୀୟ ହେବ । ଏହାକୁ ଆଖି ଆଗରେ ରଖି ପୁରୀକୁ ମହାନଗର ଘୋଷଣା କରାଯାଇଛି । ପିପିପି ମୁଡରେ ଅନେକ କାର୍ଯ୍ୟ ଆଗେଇ ଚାଲିଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପୁରୀ ସାତପଡା ରାସ୍ତାର ଗିରଳ ଛକ ଠାରୁ ହୁଡକୋ ରୋଡରେ ୨ଶହ ମିଟର ପରେ ବିମାନ ରେସ୍ତୋରାଁ ଏକ ନୂଆ ପ୍ରକଳ୍ପନା କରାଯାଇଛି । ପ୍ରାୟ ୨ ଏକର ପରିମିତ ସ୍ଥାନରେ ଭିତିଭୂମିକୁ ସଜଡା ଯାଇ ଏକ ଅବ୍ୟବହୃତ ଉଡାଜାହାଜ ରଖାଯାଇ ରେସ୍ତୋରାଁ କରାଯିବ । ଗରିବ ଲୋକ ମାନେ ଉଡାଜାହାଜରେ ଉଡି ନପାରିଲେ ମଧ୍ୟ ଉଡାଜାହାଜରେ ବସି ଖାଇବାର ମଜା ନେଇପାରିବେ । ଏୟାରବସରେ ବସି ଝରକା ପଟେ ଚାହିଁ ଭୋଜନ କରିପାରିବେ ପର୍ଯ୍ୟଟକ । ଆମ୍ବ,ପଣସ ନଡ଼ିଆ ବଗିଚା ଭିତରେ ଉଡାଜାହାଜ ରହିଛି । ଉଡାଜାହାଜ ଡେଣା, ଲାଞ୍ଜ ଓ ମୁହଁକୁ ଫିଟିଙ୍ଗ କରିବା ପରେ ଏହା ସମ୍ପୂର୍ଣ୍ଣ ଉଡାଜାହାଜ ଭାବେ ଦୃଶ୍ୟମାନ ହେବ । ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ଟିକେଟ କାଉଂଟର କରାଯାଇଛି । ଆଡଭେଂଚର ଥ୍ରୀଲ ସିଟି ପୁରୀ ପ୍ରୋଜେକ୍ଟ ଭାବେ ଆରମ୍ଭ ହେବ । ପ୍ରୋଜେକ୍ଟରେ ପ୍ରବେଶ କରିବା ପୂର୍ବରୁ ଟିକେଟ କରିବା ସହ ହେଲେମେଟ, ଜ୍ୟାକେଟ, ସୁରକ୍ଷିତ ଜୋତା, ହାତରେ ଗ୍ଲୋବସ ଓ ସୁରକ୍ଷା ଚଷମା ପିନ୍ଧି ପ୍ରବେଶ କରିବେ । ମନିଜୀ ଏଂଟରପ୍ରାଇଜେସ ଏହି ଡ୍ରିମ ଆରମ୍ଭ କରିଛି । ଏଥିରେ ୱାଟରପାର୍କ ସହ ଆମୋଦପ୍ରମୋଦ ପାଇଁ ଏହା ସୁନ୍ଦର ସ୍ଥାନ ହେବ । ବିମାନ ଟି ୨୦୧୧ ମସିହାରୁ ସେବା ଯୋଗାଇ ନପାରି ପଡି ରହିଥିଲା । ବିମାନଟି ଫ୍ରାନ୍ସ ଦ୍ୱାରା ନିର୍ମିତ ହୋଇ ଭାରତରେ ପଞ୍ଜୀକୃତ ହୋଇଥିଲା । ଏହାର ନିର୍ମାଣ କ୍ରମିକ ନମ୍ବର ଏମଏସଏନ-୦୪୬ । ଏହା ୧୪ ଏପ୍ରିଲ ୧୯୮୯ ରେ ମୁମ୍ବାଇ ରୁ ଦିଲ୍ଲୀ ଉଡ଼ାଣ ହୋଇଥିଲା। ପରେ ଦିଲ୍ଲୀ ରୁ ଲଣ୍ଡନ ଓ ଦିଲ୍ଲୀ ରୁ କାଠମାଣ୍ଡୁ ଯାଉଥିଲା । ଏଥିରେ ୧୪୦ ଟି ସିଟ୍ ଥିଲା । ୨ ଟି ଟର୍ବୋ ଡେଣା ଓ ଗୋଟିଏ ଲାଞ୍ଜ ରହିଥିଲା । ମୋହିତ ନାମକ ଜଣେ ବ୍ୟବସାୟୀ ଏହାକୁ ୧ କୋଟି ୫୫ ଲକ୍ଷ ଟଙ୍କା ଦେଇ କିଣିଥିଲେ । ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀ ଓ ସାତପଡା ରାସ୍ତା ପାର୍ଶ୍ୱରେ ଏରୋପ୍ଲେନ ରେସ୍ତୋରାଁ ଭାବେ କାର୍ଯ୍ୟ କରିବ ।
ହିନ୍ଦୁସ୍ଥାନ ସମାଚାର / ବିଜୟ