
ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ) - ବିଶ୍ୱ ହାତୀ ଦିବସ ଅବସରରେ ଓଡ଼ିଶା ସରକାରଙ୍କ ବନ୍ୟପ୍ରାଣୀ ସଂଗଠନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଏବଂ ସେଭ୍ ଏଲିଫାଂଟ ଫାଉଣ୍ଡେସନ୍ ଟ୍ରଷ୍ଟ (ଏସ୍.ଇ.ଏଫ୍.ଟି.)ର ମିଳିତ ସହଯୋଗରେ ବୁଧବାର ଭୁବନେଶ୍ୱରସ୍ଥିତ ରିଜିଓନାଲ୍ ମ୍ୟୁଜିୟମ୍ ଅଫ୍ ନ୍ୟାଚୁରାଲ୍ ହିଷ୍ଟ୍ରିର ସଭାଗୃହରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଂଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ବିଜ୍ଞାନଭିତିକ, ପ୍ରଯୁକ୍ତି ସମର୍ôଥତ ଏବଂ ସମୁଦାୟକେନ୍ଦ୍ରିକ ଆଭିମୁଖ୍ୟ ମାଧ୍ୟମରେ ହାତୀ ସଂରକ୍ଷଣକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ହାତୀ ଆବାସସ୍ଥଳୀର ସୁରକ୍ଷା, ମାନବ–ହାତୀ ସଂଘର୍ଷ ହ୍ରାସ, ବିଦ୍ୟୁତ୍ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି, ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ଏବଂ ସମୁଦାୟର ଅଧିକ ଅଂଶଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମଣିଷ ଓ ହାତୀ ଉଭୟଙ୍କ ସୁରକ୍ଷା ତଥା ସ୍ଥାୟୀ ମାନବ–ହାତୀ ସହାବସ୍ଥାନ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ସରକାରୀ ବିଭାଗ, ନିର୍ବାଚିତ ପ୍ରତିନିଧି, ଅଗ୍ରଭାଗରେ କାର୍ଯ୍ୟରତ କର୍ମଚାରୀ ଓ ସ୍ଥାନୀୟ ସମୁଦାୟଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। ଗଜସାଥୀମାନଙ୍କ ପାଇଁ ଦୁର୍ଘଟଣାଜନିତ ମୃତ୍ୟୁ ବୀମା ସୁବିଧା ପ୍ରଦାନ ନିମନ୍ତେ ସରକାର ସମସ୍ତ ସମ୍ଭାବ୍ୟ ବିକଳ୍ପ ଉପରେ ବିଚାର କରୁଥିବା ବିଷୟ ମଧ୍ୟ ମନ୍ତ୍ରୀ ଘୋଷଣା କରିଥିଲେ। ଗଜସାଥୀମାନେ ଓ ସେମାନଙ୍କ ପରିବାରର କଲ୍ୟାଣ ଓ ସୁରକ୍ଷା ପ୍ରତି ସରକାର ପ୍ରତିବଦ୍ଧ ଥିବା ଦର୍ଶାଇ ସେ କହିଥିଲେ ଯେ, ଅତ୍ୟନ୍ତ ସ୍ୱଳ୍ପ ବାର୍ଷିକ ପ୍ରିମିୟମରେ ଦୁର୍ଘଟଣାଜନିତ ମୃତ୍ୟୁ, ଅକ୍ଷମତା, ହସ୍ପିଟାଲରେ ଚିକିତ୍ସା, ଶିଶୁମାନଙ୍କ ଶିକ୍ଷା, ହସ୍ପିଟାଲ ଦୈନିକ ଭତା ଓ ପରିବାର ପରିବହନ ଭଳି ବିଭିନ୍ନ ସୁବିଧା ପ୍ରଦାନ କରିବା ଲକ୍ଷ୍ୟରେ ଏହି ବୀମା ବ୍ୟବସ୍ଥା ଏକ ଉପଯୋଗୀ ସାମାଜିକ ସୁରକ୍ଷା କବଚ ଭାବେ କାର୍ଯ୍ୟ କରିବ।
କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱରର ବିଧାୟକ ଶ୍ରୀ ବାବୁ ସିଂ ଯୋଗଦେଇଥିଲେ। ଏଥିସହିତ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରବିଧାୟକ ଶ୍ରୀ ଅଗସ୍ତି ବେହେରା (ଛେଣ୍ଡିପଦା), ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ (ଅନୁଗୋଳ), ଶ୍ରୀ ଅଶୋକ ମହାନ୍ତି (ପାଳଲହଡ଼ା), ଶ୍ରୀ ନଳିନୀକାନ୍ତ ପ୍ରଧାନ (ଆଠମଲ୍ଲିକ), ଶ୍ରୀ ଶତ୍ରୁଘ୍ନ ଜେନା (କାମାକ୍ଷାନଗର) ଏବଂ ଶ୍ରୀ ବିଭୂତି ଭୂଷଣ ପ୍ରଧାନ (ପର୍ଜଙ୍ଗ) ଯୋଗଦେଇ ହାତୀ ସଂରକ୍ଷଣ ଓ ମାନବ–ହାତୀ ସହାବସ୍ଥାନ ସମ୍ପର୍କରେ ନିଜ ମତାମତ ପ୍ରକାଶ କରିଥିଲେ।
ଏହି ଅବସରରେ ଅନୁକମ୍ପା ଯୋଜନା ଅଧୀନରେ ହାତୀ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ଘର ନଷ୍ଟ ହୋଇଥିବା ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଏସ୍.ଇ.ଏଫ୍.ଟିର ପ୍ରତିଷ୍ଠାତା, ପୂର୍ବତନ ଲୋକାୟୁକ୍ତ ସଦସ୍ୟ ତଥା ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଡ. ଦେବବ୍ରତ ସ୍ୱାଇଁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଡ. କେ. ମୁରୁଗେସନ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ ଶ୍ରୀ ପ୍ରେମ କୁମାର ଝା ଯୋଗଦେଇ ହାତୀ ସଂରକ୍ଷଣ ଓ ମାନବ–ହାତୀ ସହାବସ୍ଥାନ ସମ୍ପର୍କରେ ନିଜ ଅଭିମତ ରଖିଥିଲେ।
ଏହି ଅବସରରେ ହାତୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବା ସହ ବିଭିନ୍ନ ସଚେତନତାମୂଳକ ପ୍ରକାଶନ ଓ ସୂଚନା ସାମଗ୍ରୀ ଉନ୍ମୋଚନ କରାଯାଇଥିଲା। ଅପରାହ୍ନରେ କେନ୍ଦୁଝରର ରାଧାକୃଷ୍ଣ ସଙ୍କୀର୍ତନ ମଣ୍ଡଳୀ ପକ୍ଷରୁ ହାତୀକେନ୍ଦ୍ରିକ ସଙ୍କୀର୍ତନ ପରିବେଷଣ କରାଯାଇଥିଲା। ଏହାପରେ ଅନୁଗୋଳ ଓ କେନ୍ଦୁଝର ଡିଏଫ୍ଓଙ୍କ ପକ୍ଷରୁ ପ୍ରସ୍ତୁତ ଏଆଇ ଭିଡିଓ, ସଙ୍ଗୀତ ଭିଡିଓ ଏବଂ ଓଡ଼ିଶାରେ ହାତୀ ସଂରକ୍ଷଣ ଉପରେ ଏକ ଓଡ଼ିଆ ଭିଡିଓ ପ୍ରଦର୍ଶିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା