
ଧେମାଜୀ (ଆସାମ), ୧୩ ଅଗଷ୍ଟ (ହି.ସ.)- ଗୁରୁବାର ଦିନ ଆସାମ-ଅରୁଣାଚଳ ପ୍ରଦେଶ ସୀମାବର୍ତୀ ଶିଲାପାଥର-ଲିକାବଲି ରାଜପଥରେ ଉତେଜନା ଦେଖାଦେଇଥିଲା । ନିକଟରେ ଆସାମ-ଅରୁଣାଚଳ ପ୍ରଦେଶ ସୀମାରେ ଗୁଳି ବିନିମୟ ଘଟଣା ପରେ ଚାଲିଥିବା ଅର୍ଥନୈତିକ ଅବରୋଧ ଆଜି ପଥର ମାଡ଼ରେ ପରିଣତ ହୋଇଛି, ଉଭୟ ପକ୍ଷର ବିକ୍ଷୋଭକାରୀମାନେ ପୋଲିସ ଏବଂ ସିଆରପିଏଫ୍ ଯବାନଙ୍କୁ ଆକ୍ରମଣ କରିଛନ୍ତି । ଆସାମର ଧେମାଜୀ ଏବଂ ଅରୁଣାଚଳ ପ୍ରଦେଶର ଲୋୟର ସିଆଙ୍ଗର କିଛି ଅଂଶରେ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି, ଯେଉଁଠାରେ ନିକଟରେ ସୀମା ଗୁଳି ବିନିମୟ ଘଟଣା ମିସିଂଗ ଏବଂ ଗାଲୋ ସମ୍ପ୍ରଦାୟ ମଧ୍ୟରେ ଉତେଜନା ବୃଦ୍ଧି କରିଛି ।
ଉଲ୍ଲେଖନୀୟ କଥା ହେଉଛି, ଅଗଷ୍ଟ ୧୦ ତାରିଖରେ ଧେମାଜିର ଗେରୁକାମୁଖ ଥାନା ଅନ୍ତର୍ଗତ ଗୋଗାମୁଖ ରାଜସ୍ୱ ସର୍କଲରେ ଆସାମ-ଅରୁଣାଚଳ ପ୍ରଦେଶ ସୀମାରେ ଅବସ୍ଥିତ ମିଙ୍ଗମାଙ୍ଗ ବସ୍ତିରେ ଏକ ଗୁଳି ବିନିମୟ ଘଟଣା ଘଟିଥିଲା, ଯେଉଁଥିରେ ପ୍ରାୟ ୧୧ ଜଣ ଆହତ ହୋଇଥିଲେ । ଅରୁଣାଚଳ ପ୍ରଦେଶର ଲୋକମାନେ ଆସାମର ଜମିକୁ ଜବରଦଖଲ କରିଥିବା ଅଭିଯୋଗକୁ ନେଇ ବିବାଦ ପରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଘଟଣା ପରେ, ଟାକାମ ମିସିଂ ପୋରିନ କେବାଙ୍ଗ (ଟିଏମପିକେ) ବୁଧବାର ଦିନ ଅରୁଣାଚଳ ପ୍ରଦେଶର ଅନିର୍ଦ୍ଦିଷ୍ଟ କାଳ ପାଇଁ ଅର୍ଥନୈତିକ ଅବରୋଧ ଆରମ୍ଭ କରିଥିଲା, ଯାହା ଆସାମ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ଅନେକ ସ୍ଥାନରେ ସଡ଼କ ଯୋଗାଯୋଗରେ ବ୍ୟାଘାତ ସୃଷ୍ଟି କରିଥିଲା ।
ଶିଲାପାଥର-ଲିକାବଲି ମାର୍ଗରେ ଚାଲିଥିବା ଅବରୋଧ ଏହି ଅଂଚଳରେ ଉତେଜନାକୁ ଆହୁରି ବୃଦ୍ଧି କରିଛି । ସଦ୍ୟତମ ଘଟଣାକ୍ରମ ଅନୁଯାୟୀ, ବିକ୍ଷୋଭକାରୀମାନେ ପଥର ଫିଙ୍ଗିବାରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା, ଯେଉଁଥିରେ ପୋଲିସ ଏବଂ ସିଆରପିଏଫ୍ ସମେତ ସୁରକ୍ଷା କର୍ମୀମାନେ ଉଭୟ ପାର୍ଶ୍ୱରୁ ଫିଙ୍ଗାଯାଉଥିବା ପଥର ମାଡର ଶିକାର ହୋଇଥିଲେ । ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ବଜାୟ ରଖିବା ଏବଂ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଉତେଜନାକୁ ଆହୁରି ବଢ଼ାଇବାର କୌଣସି ପଦକ୍ଷେପ ନ ନେବାକୁ ପ୍ରଶାସନ ବିକ୍ଷୋଭକାରୀ ଏବଂ ବାସିନ୍ଦାଙ୍କୁ ନିବେଦନ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ