
ଗୁଆହାଟୀ, ୧୩ ଅଗଷ୍ଟ (ହି.ସ.)- ଆସାମର ବନ୍ୟା ପ୍ରଭାବିତ ଅଂଚଳରେ ବ୍ୟାପକ ସ୍ତରରେ ହୋଇଥିବା କ୍ଷୟକ୍ଷତି ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ବିଚାର ପରିବାରର କାର୍ଯ୍ୟକର୍ତାମାନେ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ରିଲିଫ ଏବଂ ପୁନଃସ୍ଥାପନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବନ୍ୟାଜଳ ହ୍ରାସ ପରେ ୩ ଏବଂ ୪ ଅଗଷ୍ଟରେ କାର୍ଯ୍ୟକର୍ତାମାନେ ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ପରିଦର୍ଶନ କରି ପ୍ରଭାବିତ ପରିବାରଗୁଡ଼ିକ ସହିତ ସମ୍ପର୍କ କରିଥିଲେ ଏବଂ ସେଠାରେ ତତ୍କାଳ ରିଲିଫ ଏବଂ ଭବିଷ୍ୟତର ପୁନର୍ବାସ ଆବଶ୍ୟକତାର ଆକଳନ କରିଥିଲେ।
ପଡ଼ୋଶୀ ରାଜ୍ୟ ନାଗାଲାଣ୍ଡର ପାହାଡ଼ଗୁଡ଼ିକରେ ହୋଇଥିବା ମୂଷଳଧାରା ବର୍ଷା, ଭୂସ୍ଖଳନ ତଥା ତୀବ୍ର ଜଳପ୍ରବାହ ଉପର ଆସାମରେ ଗୁରୁତର ବନ୍ୟା ପରିସ୍ଥିତି ସୃଷ୍ଟି କରିଦେଇଥିଲା। ଏହାର ବ୍ୟାପକ ପ୍ରଭାବ ଶିବସାଗର, ଚରାଇଦେବ, ଜୋରହାଟ ଏବଂ ଗୋଲାଘାଟ ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଯେଉଁଥିରେ ଶିବସାଗର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିଲା। ଚରାଇଦେବ ଏବଂ ଜୋରହାଟରେ ମଧ୍ୟ ଭାରୀ କ୍ଷୟକ୍ଷତି ହୋଇଥିଲା, ଯେତେବେଳେ ଗୋଲାଘାଟ ମଧ୍ୟ ବହୁତ ପ୍ରଭାବିତ ହୋଇଥିଲା।
ସରକାରୀ ତଥ୍ୟ ଅନୁଯାୟୀ ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୦୪ ଜଣଙ୍କ ମୃତ୍ୟୁର ପୁଷ୍ଟି ହୋଇସାରିଛି। ହଜାର ହଜାର ପରିବାର ତଥା ଚାରି ଲକ୍ଷରୁ ଅଧିକ ନାଗରିକ ଏଥିରେ ପ୍ରଭାବିତ ହୋଇଛନ୍ତି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ବାଧ୍ୟ ହେବାକୁ ପଡ଼ିଛି। ବନ୍ୟାଜଳ ହ୍ରାସ ପାଇବା ପରେ ମଧ୍ୟ ଆବାସ, ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଏବଂ ଜୀବିକା ସହ ଜଡ଼ିତ ଗୁରୁତର ଆହ୍ୱାନଗୁଡ଼ିକ ରହିଛି।
ଏହି ଗୁରୁତର ବିପର୍ଯ୍ୟୟ ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ ତଥା ସଂଘ ପରିବାର ସହ ଜଡ଼ିତ ବିଭିନ୍ନ ସଂଗଠନ ସମାଜର ସହଯୋଗରେ ସମନ୍ୱିତ ରିଲିଫ ଏବଂ ପୁନର୍ବାସ ଅଭିଯାନ ଚଳାଇଥିଲେ। ଖାଦ୍ୟ, ବସ୍ତ୍ର, ବିଛଣା, ଔଷଧ ଏବଂ ଆବଶ୍ୟକ ଘରୋଇ ସାମଗ୍ରୀ ପହଂଚାଇବା ସହ ଚିକିତ୍ସା ସେବା, ସ୍ୱଚ୍ଛତା ଏବଂ ଜୀବାଣୁମୁକ୍ତକରଣ, ଶ୍ରମଦାନ, ପ୍ରଭାବିତ ପରିବାରର ସହାୟତା, କୃଷି ପୁନଃସ୍ଥାପନ ତଥା ବିଦ୍ୟାଳୟ ଏବଂ ଘରର ସଫେଇ ଏବଂ ପୁନର୍ବାସ ଭଳି କାର୍ଯ୍ୟ ପର୍ଯ୍ୟାୟକ୍ରମେ କରାଯାଇଥିଲା। ରିପୋର୍ଟରେ ତତ୍କାଳ ଆବଶ୍ୟକତା ଭାବେ ଖାଦ୍ୟ ସାମଗ୍ରୀ, ବସ୍ତ୍ର, ବିଛଣା, ବାସନ, ଶିଶୁ ଖାଦ୍ୟ, ପଶୁ ଖାଦ୍ୟ, ଔଷଧ, ପାନୀୟ ଜଳ, ୱାଟର ଫିଲ୍ଟର, କ୍ଲୋରିନ ଟାବଲେଟ ଏବଂ ଅନ୍ୟାନ୍ୟ ପୁନର୍ବାସ ସାମଗ୍ରୀ ମଧ୍ୟ ଚିହ୍ନଟ କରାଯାଇଥିଲା।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ ଏବଂ ସଂଘ ପରିବାରର ବିଭିନ୍ନ ସଂଗଠନ ସମନ୍ୱିତ ଭାବେ ରିଲିଫ, ସେବା ଏବଂ ପୁନର୍ବାସ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେବା ଭାରତୀ ପୂର୍ବାଂଚଳ, ଏନଏମଓ ଆସାମ, ଏଏମଓ ଆସାମ, ସୁ-କା-ଫା ହସ୍ପିଟାଲ, ଅଭାବିପ, ଭାରତୀୟ କିସାନ ସଂଘ, ବିଦ୍ୟା ଭାରତୀ, ଭାରତ ବିକାଶ ପରିଷଦ, ସଂସ୍କୃତ ଭାରତୀ, ରାଷ୍ଟ୍ର ସେବିକା ସମିତି/ଉତ୍କର୍ଷିଣୀ ସେବା ନ୍ୟାସ, ଲଘୁ ଉଦ୍ୟୋଗ ଭାରତୀ, ଭାରତୀୟ ମଜଦୁର ସଂଘ, ବିଶ୍ୱ ହିନ୍ଦୁ ପରିଷଦ, ହେଡଗେୱାର ସ୍ମାରକ ସମିତି, ମଧୁକର ସେବା ନ୍ୟାସ ଏବଂ କଲ୍ୟାଣ ଆଶ୍ରମ ସମେତ ସମସ୍ତ ସଂଗଠନ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ରିଲିଫ ବଂଟନ, ଚିକିତ୍ସା ସେବା, ସ୍ୱଚ୍ଛତା, ଶ୍ରମଦାନ, କୃଷି ସହାୟତା ଏବଂ ପୁନର୍ବାସରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ।
ସେବା କାର୍ଯ୍ୟ ପ୍ରମୁଖ ଭାବେ ଶିବସାଗର ଜିଲ୍ଲାର ନାଜିରା, ଖେଲୁୱା, ଶିମଲୁଗୁଡ଼ି, ଶିବସାଗର ନଗର; ଜୋରହାଟ ଜିଲ୍ଲାର ସେଲେଙ୍ଗହାଟ, କଲିଆପାନୀ, ତିତାବର, ଖଙ୍ଗିଆ, ଢେକଗାଁ; ଚରାଇଦେବ ଜିଲ୍ଲାର ଦିସାଙ୍ଗ ପାଣି, ପଶ୍ଚିମ ଅଭୟାପୁରୀ, ସୋନାରୀ, ଲକୁୱା ଏବଂ ଗୋଲାଘାଟ ଜିଲ୍ଲାର ପଦୁମଣି, ଦେରଗାଁ, ମୋରଙ୍ଗୀ ଆଦିରେ ଚଳାଯାଇଥିଲା।
ପ୍ରଭାବିତମାନଙ୍କ ମଧ୍ୟରେ ବଂଟନ କରାଯାଇଥିବା ଖାଦ୍ୟ ସାମଗ୍ରୀରେ ଚାଉଳ, ଡାଲି, ଆଳୁ, ଅଟା, ଚିନି, ଚିଉଡ଼ା, ମୁଢ଼ି, ବିସ୍କୁଟ, କ୍ଷୀର ଏବଂ ଫଳ-ଜୁସ; ଆଶ୍ରୟ ଏବଂ ବସ୍ତ୍ର ଭାବେ ଗଦି, ବେଡସିଟ, ମଶାରି, ପୋଷାକ, ଟି-ଶର୍ଟ, ଟୋପି, ଚପଲ, ଗମବୁଟ ଏବଂ ମୋଜା ଆଦି ସାମିଲ ଅଛି। ସେହିପରି ମାତୃ-ଶିଶୁ ଏବଂ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ବେବି ଫୁଡ, ପିଲାମାନଙ୍କ ପୋଷାକ, ସାନିଟାରୀ ପ୍ୟାଡ, ବ୍ଲିଚିଂ ପାଉଡର, ମହମବତୀ ଏବଂ ମଶା ପ୍ରତିରୋଧୀ ସାମଗ୍ରୀ ଆଦି ବଂଟନ କରାଯାଇଥିଲା।
ଏହି ମଧ୍ୟରେ ବନ୍ୟାଜଳ କମିବା ପରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୨୫୦ ସ୍ୱୟଂସେବକ ବ୍ୟାପକ ଶ୍ରମଦାନ ଏବଂ ପୁନଃସ୍ଥାପନ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ବନ୍ୟା ପ୍ରଭାବିତ ଅଂଚଳରେ ସେବା ଭାରତୀ ପୂର୍ବାଂଚଳ ଦ୍ୱାରା ଖାଦ୍ୟ ସାମଗ୍ରୀ, ଘରୋଇ ବ୍ୟବହାରର ବସ୍ତୁ, ସ୍ୱଚ୍ଛତା ସାମଗ୍ରୀ ଏବଂ ଚିକିତ୍ସା ସମ୍ବଳ ସଂଗ୍ରହ କରି ପ୍ରଭାବିତ ଅଂଚଳ ପର୍ଯ୍ୟନ୍ତ ପହଂଚାଯାଇଥିଲା। ରିଲିଫ ସାମଗ୍ରୀର ପରିବହନ ଏବଂ ବଂଟନ ସହିତ ସ୍ୱାସ୍ଥ୍ୟ ସୁରକ୍ଷ।।, ସ୍ୱଚ୍ଛତା ଏବଂ ପରିବାରର ଦୈନନ୍ଦିନ ଆବଶ୍ୟକତାକୁ ଧ୍ୟାନରେ ରଖି ବିଭିନ୍ନ ପ୍ରକାରର ସାମଗ୍ରୀ ଉପଲବ୍ଧ କରାଯାଇଥିଲା।
ସେହିପରି, ଗୋଲାଘାଟ ଜିଲ୍ଲାରେ ସେବା ଭାରତୀ ପୂର୍ବାଂଚଳ ଦ୍ୱାରା ୨୫ ଜୁଲାଇରେ ୧୩ ଜଣ କାର୍ଯ୍ୟକର୍ତାଙ୍କ ଦ୍ୱାରା ଦୁଇଟି ଗାଁର ୨୦୦ ପରିବାର ମଧ୍ୟରେ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ବଂଟନ କରାଯାଇଥିଲା। ୨ ଅଗଷ୍ଟରେ ସର୍ବାଧିକ ପ୍ରଭାବିତ ନେପାଳୀ ଖୁଂଟି ଗାଁରେ ୮ଟି ଅସ୍ଥାୟୀ ଶିବିର ନିର୍ମାଣ, ସଫା-ସଫେଇ ଏବଂ ସାମଗ୍ରୀ ବଂଟନ କରାଯାଇଥିଲା।
ଅଖିଲ ଭାରତୀ ବିଦ୍ୟାର୍ଥୀ ପରିଷଦ ଦ୍ୱାରା ମଧ୍ୟ ରିଲିଫ ଏବଂ ସେବା-ସହାୟତା କାର୍ଯ୍ୟ ବଡ଼ ପରିମାଣରେ କରାଯାଉଛି। ପ୍ରାୟ ୧୧ଟି ଗାଁରେ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ସାମଗ୍ରୀ, ପ୍ରସ୍ତୁତ ଖାଦ୍ୟ, ମଶାରି ଏବଂ ବେଡସିଟ, କୃଷି ଜମି ପାଇଁ ଧାନ ଚାରା ବଣ୍ଟନ କରାଯାଇଥିଲା।
ଏନଏମଓ ଆସାମ ଏବଂ ସୁ-କା-ଫା ହସ୍ପିଟାଲ ପ୍ରଭାବିତମାନଙ୍କୁ ଚିକିତ୍ସା ସେବା ଉପଲବ୍ଧ କରାଇଥିଲେ। ଭାରତୀୟ କିସାନ ସଂଘ କୃଷି ଏବଂ ଜୀବିକା ପୁନଃସ୍ଥାପନ ପାଇଁ ପଶୁ ଖାଦ୍ୟ, ଧାନ ଚାରା, ସ୍ୱାସ୍ଥ୍ୟ ସେବା, ଆବଶ୍ୟକ ସାମଗ୍ରୀ ଆଦି ଯୋଗାଇଥିଲା। ବିଦ୍ୟା ଭାରତୀ ଶିକ୍ଷା ପୁନଃସ୍ଥାପନ ଏବଂ ଛାତ୍ରଛାତ୍ରୀଙ୍କ ସହାୟତା ପାଇଁ ଅନେକ ପଦକ୍ଷେପ ନେଇଥିଲା। ଯେଉଁଥିରେ ବିଦ୍ୟାଳୟଗୁଡ଼ିକୁ ଆର୍ôଥକ ସହାୟତା, ସେବା ଭାରତୀ ଦ୍ୱାରା ଜଟାଇ ଯାଇଥିବା ନୋଟବୁକ ଯୋଗାଇବା ଆଦି ସାମିଲ ଅଛି। ଯେତେବେଳେ, ରାଷ୍ଟ୍ର ସେବିକା ସମିତି/ଉତ୍କର୍ଷିଣୀ ସେବା ନ୍ୟାସ- ମାତୃଶକ୍ତିର ସମ୍ବେଦନଶୀଳ ସେବା ଅଧୀନରେ ଜୋରହାଟ, ଶିବସାଗର ଏବଂ ଚରାଇଦେବ ଜିଲ୍ଲାର ପ୍ରାୟ ୨୦୦୦ ପରିବାର ପର୍ଯ୍ୟନ୍ତ ସହାୟତା ପହଂଚାଯାଇଥିଲା। ଯେଉଁଥିରେ ୧.୧୨ ଲକ୍ଷ ଟଙ୍କାର ଆର୍ôଥକ ସହଯୋଗ ମଧ୍ୟ ସାମିଲ ଅଛି। ସେହିପରି ଲଘୁ ଉଦ୍ୟୋଗ ଭାରତୀ, ପୂର୍ବୋତର ପ୍ରାନ୍ତ; ଭାରତ ବିକାଶ ପରିଷଦ; ସଂସ୍କୃତ ଭାରତୀ; ଭାରତୀୟ ମଜଦୁର ସଂଘ (ବିଏମଏସ); ଆର୍ୟୁବେଦିକ ମେଡିକାଲ ଅର୍ଗାନାଇଜେସନ ଆଦି ସଂଗଠନ ପ୍ରଭାବିତମାନଙ୍କ ସେବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।
--------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ