
କୋଲକାତା, ୧୩ ଅଗଷ୍ଟ (ହି.ସ.)- ଆରଜିକର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଡାକ୍ତର-ପ୍ରଶିକ୍ଷାର୍ଥୀଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ନୂଆ ମୋଡ଼ ସାମ୍ନାକୁ ଆସିଛି। ପାଣିହାଟିର ପୂର୍ବତନ ତୃଣମୂଳ କଂଗ୍ରେସ ବିଧାୟକ ନିର୍ମଳ ଘୋଷଙ୍କୁ ଓଡ଼ିଶାରୁ ଗିରଫ କରାଯାଇଛି। ଆରଜି କର ହସ୍ପିଟାଲରେ ଘଟିଥିବା ଘଟଣା ପରେ ପୀଡ଼ିତାଙ୍କ ମୃତଦେହକୁ କଥିତ ଭାବେ ଜୋରଜବରଦସ୍ତି ଅନ୍ତିମ ସଂସ୍କାର କରାଇବାରେ ତାଙ୍କର ଭୂମିକା ଥିବା ଅଭିଯୋଗ ରହିଛି।
ପୁଲିସ ସୂତ୍ର ଅନୁସାରେ, ମୃତକଙ୍କ ପିତା ସୋମବାର ଉତର ୨୪ ପରଗଣାର ଖରଦହ ଥାନାରେ ନିର୍ମଳ ଘୋଷଙ୍କ ସମେତ ତିନି ଜଣଙ୍କ ବିରୋଧରେ ଏତଲା ଦାୟର କରିଥିଲେ। ଏହି ଏତଲା ଆଧାରରେ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି।
ସୂତ୍ର ଅନୁସାରେ, ନୂଆ ଏତଲା ଦାୟର ହେବା ପରେ ହିଁ ନିର୍ମଳ ଘୋଷ ଓଡ଼ିଶା ଚାଲିଯାଇଥିଲେ ଏବଂ ସେଠାରେ ଲୁଚି ରହୁଥିଲେ। ପୁଲିସର ନଜରରୁ ବଂଚିବା ପାଇଁ ସେ ନୂଆ ସିମ୍ କାର୍ଡ ବ୍ୟବହାର କରୁଥିଲେ। ଏହି ସିମ୍ କାର୍ଡ ମାଧ୍ୟମରେ ସେ ତାଙ୍କର କିଛି ଘନିଷ୍ଠ ଲୋକଙ୍କ ସହ ଯୋଗାଯୋଗରେ ଥିଲେ।
ମଙ୍ଗଳବାର ପୁଲିସ ମୋବାଇଲ ଫୋନର ଟାୱାର ଲୋକେସନ ଆଧାରରେ ନିର୍ମଳ ଘୋଷଙ୍କ ଗତିବିଧି ବିଷୟରେ ସୂଚନା ପାଇଥିଲା। ଏହା ପରେ ପୁଲିସ ତାଙ୍କର ସନ୍ଧାନ ଜୋରଦାର କରିଥିଲା। ଗୁରୁବାର ସକାଳ ପ୍ରାୟ ୯ଟାରେ ପୁଲିସ ପୁରୀ ଆଖପାଖରେ ଥିବା ଏକ ହୋଟେଲରେ ଚଢ଼ାଉ କରି ସେଠାରୁ ନିର୍ମଳ ଘୋଷଙ୍କୁ ଗିରଫ କରିଥିଲା।
ପୁଲିସ ଏବେ ନିର୍ମଳ ଘୋଷଙ୍କୁ ପଚରାଉଚରା କରୁଛି ଏବଂ ଆରଜି କର ମାମଲାରେ ମୃତଦେହର ଅନ୍ତିମ ସଂସ୍କାର ସହ ଜଡ଼ିତ ଘଟଣାକ୍ରମରେ ତାଙ୍କର ଭୂମିକା କ’ଣ ଥିଲା ତାହା ଜାଣିବାକୁ ଚେଷ୍ଟା କରାଯାଉଛି। ମାମଲାରେ ଦାୟର ହୋଇଥିବା ନୂଆ ଏତଲା ଆଧାରରେ ତଦନ୍ତ ଆଗକୁ ବଢ଼ାଯାଉଛି।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ