
ନୂଆଦିଲ୍ଲୀ, ୧୪ ଅଗଷ୍ଟ (ହି.ସ.)- କେନ୍ଦ୍ର ସରକାର ଶୁକ୍ରବାର ଜନଗଣନା ୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଜନସଂଖ୍ୟା ଗଣନା ପାଇଁ ୪୦ଟି ପ୍ରଶ୍ନର ପ୍ରଶ୍ନାବଳୀ ଅଧିସୂଚିତ କରିଛନ୍ତି। ଏଥିରେ ପ୍ରଥମ ଥର ପାଇଁ, ଜନଗଣନା ଅଧୀନରେ ଜାତି ସମ୍ବନ୍ଧୀୟ ସୂଚନା ମଧ୍ୟ ସଂଗ୍ରହ କରାଯିବ। ଏହି ପ୍ରଶ୍ନାବଳୀରେ ନାଗରିକମାନଙ୍କର ବ୍ୟକ୍ତିଗତ, ସାମାଜିକ, ଶିକ୍ଷାଗତ ଏବଂ ଆର୍ôଥକ ସୂଚନା ସମ୍ବନ୍ଧୀୟ ପ୍ରଶ୍ନ ସାମିଲ ଅଛି। ଲୋକମାନଙ୍କୁ ସେମାନଙ୍କର କୋଭିଡ-୧୯ ଟିକାକରଣ, ବ୍ୟାଙ୍କ ଖାତା, ଆଧାର, ଭୋଟର ପରିଚୟପତ୍ର ଏବଂ ଅନ୍ୟାନ୍ୟ ସୂଚନା ବିଷୟରେ ମଧ୍ୟ ପଚରାଯିବ।
ଗୃହ ମନ୍ତ୍ରଣାଳୟ ଅଧୀନରେ ଭାରତର ମହାପଞ୍ଜୀୟକ ଏବଂ ଜନଗଣନା ଆୟୁକ୍ତଙ୍କ ପକ୍ଷରୁ ଶୁକ୍ରବାର ଜାରି ଅଧିସୂଚନାରେ ଜନଗଣନା ଅଧିକାରୀମାନଙ୍କୁ ପରିବାରଗୁଡ଼ିକଠାରୁ ୪୦ଟି ବିନ୍ଦୁ ସମ୍ବନ୍ଧୀୟ ସୂଚନା ସଂଗ୍ରହ କରିବାକୁ ଅଧିକୃତ କରାଯାଇଛି।
ଅଧିସୂଚନା ଅନୁଯାୟୀ ଜନଗଣନା ଅଧିକାରୀମାନେ ନିଜ ନିର୍ଦ୍ଧାରିତ ସ୍ଥାନୀୟ ଅଂଚଳର ସୀମା ମଧ୍ୟରେ ରହୁଥିବା ଲୋକମାନଙ୍କଠାରୁ ପରିବାର ଅନୁସୂଚୀ ମାଧ୍ୟମରେ ଏହି ପ୍ରଶ୍ନଗୁଡ଼ିକର ଉତର ପଚାରିପାରିବେ। ପ୍ରଶ୍ନାବଳୀରେ ବ୍ୟକ୍ତିଙ୍କ ନାମ, ପରିବାର ମୁଖ୍ୟଙ୍କ ସହ ସମ୍ପର୍କ, ଲିଙ୍ଗ, ଜନ୍ମ ତାରିଖ ଏବଂ ବୟସ, ବୈବାହିକ ସ୍ଥିତି ଏବଂ ବିବାହ ସମୟରେ ବୟସଠାରୁ ଆରମ୍ଭ କରି ସ୍ୱାମୀ କିମ୍ବା ପତ୍ନୀଙ୍କ ନାମ ତଥା ଘୋଷିତ ଜାତୀୟତା ସମ୍ବନ୍ଧୀୟ ସୂଚନା ସାମିଲ ଅଛି।
ଏହା ବ୍ୟତୀତ ଧର୍ମ, ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ଜାତି, ମାତାପିତାଙ୍କ ବିବରଣୀ, ଦିବ୍ୟାଙ୍ଗତା, ମାତୃଭାଷା ଏବଂ ଅନ୍ୟ ଭାଷାଗୁଡ଼ିକର ଜ୍ଞାନ, ସାକ୍ଷରତା ଏବଂ ଡିଜିଟାଲ ସାକ୍ଷରତା ତଥା ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ କରୁଥିବା ସ୍ଥିତି ବିଷୟରେ ମଧ୍ୟ ସୂଚନା ନିଆଯିବ। ବ୍ୟକ୍ତିଙ୍କର ସର୍ବୋଚ୍ଚ ଶିକ୍ଷାଗତ ସ୍ତର ଏବଂ ବିଷୟ/ସଂକାୟ ସମ୍ବନ୍ଧୀୟ ପ୍ରଶ୍ନ ମଧ୍ୟ ପ୍ରଶ୍ନାବଳୀରେ ସାମିଲ ଅଛି।
ରୋଜଗାର ଏବଂ ଆର୍ôଥକ କାର୍ଯ୍ୟକଳାପ ସହ ଜଡ଼ିତ ସୂଚନା ପାଇଁ ଏହା ପଚରାଯିବ ଯେ ବ୍ୟକ୍ତି ଗତ ବର୍ଷରେ କୌଣସି ସମୟରେ କାମ କରିଥିଲେ କି ନାହିଁ, ତାଙ୍କର ଆର୍ôଥକ କାର୍ଯ୍ୟକଳାପର ଶ୍ରେଣୀ କ’ଣ, ବ୍ୟବସାୟ କ’ଣ, ଶିଳ୍ପ, ବାଣିଜ୍ୟ କିମ୍ବା ସେବାର ସ୍ୱରୂପ କ’ଣ ଏବଂ ଶ୍ରମିକଙ୍କ ଶ୍ରେଣୀ କ’ଣ। ଅଣ-ଶ୍ରମିକ ଏବଂ ସୀମାନ୍ତ ଏବଂ ଅର୍ଦ୍ଧ-ସୀମାନ୍ତ ଶ୍ରମିକମାନଙ୍କ ପାଇଁ ଅଣ-ଆର୍ôଥକ କାର୍ଯ୍ୟକଳାପ ତଥା କାମର ସନ୍ଧାନ କିମ୍ବା କାମ ପାଇଁ ଉପଲବ୍ଧତା ବିଷୟରେ ମଧ୍ୟ ସୂଚନା ମଗାଯିବ।
---------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ