
ଇନ୍ଦୋର, ୧୪ ଅଗଷ୍ଟ (ହି.ସ.)- ମଧ୍ୟ ପ୍ରଦେଶର ଇନ୍ଦୋରରେ ଡାଇରେକ୍ଟୋରେଟ୍ ଅଫ୍ ରେଭେନ୍ୟୁ ଇଂଟେଲିଜେନ୍ସ (ଡିଆରଆଇ) ଟିମ୍ ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ କରିଛି। ଟିମ୍ ସହରର ବାଇପାସ୍ ସ୍ଥିତ ଫିନିକ୍ସ ସିଟାଡେଲ୍ ନିକଟରେ ଘେରାବନ୍ଦୀ କରି ତିନିଟି ସୁନା ଇଟା ସହ ଚାରିଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି, ଏହା ସହିତ ସେମାନଙ୍କ ପାଖରୁ ଏକ କାର ଏବଂ ବୁଲେଟ ମଧ୍ୟ ଜବତ କରିଛି।
ଡିଆରଆଇ ଟିମ୍କୁ ଶୁକ୍ରବାର ଅପରାହ୍ନ ସମୟରେ ଏହି ଅଂଚଳରେ ସୁନାର ଡେଲିଭରି ହେବା ନେଇ ପକ୍କା ସୂଚନା ମିଳିଥିଲା। ଏହି ସୂଚନା ମିଳିବା ମାତ୍ରେ ଡିଆରଆଇର ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଂଚି ସେଠାରେ ଠିଆ ହୋଇଥିବା ଏକ କଳା ରଙ୍ଗର ସ୍ୱିଫ୍ଟ ଡିଜାୟର କାରକୁ ଚାରିପଟୁ ଘେରି ନେଇଥିଲା। ଏହି ସମୟରେ କାରରେ ବସିଥିବା ତିନିଜଣ ଏବଂ ଡେଲିଭରି ନେବାକୁ ଆସିଥିବା ଜଣେ ବୁଲେଟ ଚାଳକଙ୍କୁ ଗିରଫ କରାଯାଇଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ କାରଟି କିଛି ଦୂର ଆଗକୁ ଯାଇ ଅଟକିଥିଲା। କାର ଅଟକିବା ମାତ୍ରେ ସେଥିରୁ ଜଣେ ବ୍ୟକ୍ତି ତଳକୁ ଓହ୍ଲାଇ ପାଖରେ ବୁଲେଟ ଉପରେ ଅପେକ୍ଷା କରୁଥିବା ବ୍ୟକ୍ତିଙ୍କୁ ସୁନା ଇଟାଗୁଡ଼ିକର ଡେଲିଭରି ଦେବାକୁ ଲାଗିଥିଲେ। ଏହି ସମୟରେ ଡିଆରଆଇ ଟିମ୍ ଉଭୟଙ୍କୁ ରଙ୍ଗେହାତ ଧରିବାକୁ ଚେଷ୍ଟା କରିବାରୁ କାରରେ ଥିବା ଅନ୍ୟ ଦୁଇଜଣ ମଧ୍ୟ ବାହାରକୁ ଆସିଥିଲେ। ଏହି ସମସ୍ତ ଅଭିଯୁକ୍ତ କାର୍ଯ୍ୟାନୁଷ୍ଠାନର ବିରୋଧ କରି ଟିମ୍ ସହ ଧକ୍କାମୁକ୍କି ଆରମ୍ଭ କରିଦେଇଥିଲେ ଏବଂ ଏହି ମଧ୍ୟରେ କାରର କାଚ ମଧ୍ୟ ଭାଙ୍ଗି ଦେଇଥିଲେ। ତେବେ ଟିମ୍ ସତର୍କତା ଅବଲମ୍ବନ କରି ଚାରିଜଣ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲା।
କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ କରିବା ପରେ ଡିଆରଆଇ ଟିମ୍ ସ୍ୱିଫ୍ଟ ଡିଜାୟର କାର ଏବଂ ବୁଲେଟକୁ ଜବତ କରି ନିଜ କାର୍ଯ୍ୟାଳୟକୁ ନେଇଯାଇଥିଲା। ବର୍ତମାନ ଜବତ ହୋଇଥିବା ତିନିଟି ସୁନା ଇଟାର ମୂଲ୍ୟ ଏବଂ ଏହା ସହ ଜଡ଼ିତ ସମ୍ପୂର୍ଣ୍ଣ ସିଣ୍ଡିକେଟ୍ ସମ୍ପର୍କରେ ଡିଆରଆଇ ଅଧିକାରୀମାନେ ଗଭୀର ପଚରାଉଚରା କରୁଛନ୍ତି। ଏହି ମାମଲାରେ ଖୁବଶୀଘ୍ର ଆଉ କିଛି ବଡ଼ ଖୁଲାସା ହେବାର ସମ୍ଭାବନା ରହିଛି।
----------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ