
ମୋଦୀ ସରକାର ବିଦେଶରେ ଲୁଚି ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରୁଛନ୍ତି: ଅମିତ ଶାହ
ନୂଆଦିଲ୍ଲୀ / ଭୁବନେଶ୍ୱର,୧୪ ଅଗଷ୍ଟ (ହି.ସ) - ଅନ୍ତର୍ଜାତୀୟ ନାର୍କୋଟିକ୍ସ ସିଣ୍ଡିକେଟ୍ ବିରୁଦ୍ଧରେ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରି, ନାର୍କୋଟିକ୍ସ କେଂଟ୍ରାଲ ବ୍ୟୁରୋ (ଏନସିବି) ଦିଲ୍ଲୀର ସରୋଜିନୀ ନଗରର ପିଲ୍ଲଞ୍ଜି ବାସିନ୍ଦା ପଳାତକ ବୀରେନ୍ଦ୍ର ସିଂ ବସୋୟାଙ୍କୁ ଭାରତକୁ ଫେରାଇ ଆଣିଛି। ଆଜି ସକାଳେ ନୂଆଦିଲ୍ଲୀର ଆଇ. ଜି. ଆଇ. ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏନ. ସି. ବି. ର ଅନୁରୋଧ କ୍ରମେ ପ୍ରକାଶିତ ଏକ ଇଂଟରପୋଲ ରେଡ୍ ନୋଟିସ୍ ଅନୁଯାୟୀ ଜୁନ୍ ୨୦୨୬ ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁ. ଏ. ଇ.) ରେ ବସୋୟାଙ୍କୁ ଗିରଫ କରାଯାଇଥିଲା। ଭାରତୀୟ ଏଜେନ୍ସିଗୁଡ଼ିକ ଦ୍ୱାରା ୟୁ. ଏ. ଇ. କର୍ତୃପକ୍ଷଙ୍କ ସହ ନିରନ୍ତର ସମନ୍ୱୟ ମାଧ୍ୟମରେ ତାଙ୍କର ଭାରତ ପ୍ରତ୍ୟାବର୍ତନ ସୁରକ୍ଷିତ ହୋଇଥିଲା।
ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି ଯେ ମୋଦୀ ସରକାର ବିଦେଶରେ ଲୁଚି ରହିଥିବା ନିଶାଦ୍ରବ୍ୟ ଚୋରା ଚାଲାଣକାରୀଙ୍କୁ ନିରନ୍ତର ଟ୍ରାକ୍ କରୁଛନ୍ତି ଏବଂ ନିଷ୍ଠୁର ଆଭିମୁଖ୍ୟ ସହିତ ସେମାନଙ୍କର ସମଗ୍ର ଇକୋସିଷ୍ଟମକୁ ନଷ୍ଟ କରୁଛନ୍ତି। ନିଶାଦ୍ରବ୍ୟ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତିରେ ଏକ ନୂତନ ମାଇଲଖୁଂଟ ସୃଷ୍ଟି କରି, ୟୁ.ଏ.ଇ. ରୁ ପଳାତକ ଡ୍ରଗ୍ କିଙ୍ଗ୍ ପିନ୍ ବୀରେନ୍ଦ୍ର ସିଂ ବସୋୟାଙ୍କୁ ଏନ୍. ସି. ବି. ଭାରତ ଫେରାଇ ଆଣିଛି । ଅପରାଧୀଙ୍କୁ ଠାବ କରି, ଆମର ଏଜେନ୍ସିମାନେ ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ ନିଶାଦ୍ରବ୍ୟ ଚୋରା ଚାଲାଣକାରୀମାନେ ଯେଉଁଠି ଲୁଚି ରୁହନ୍ତୁ ନା କାହିଁକି, ସେମାନେ ଭାରତୀୟ ଆଇନର କବଳରୁ ରକ୍ଷା ପାଇପାରିବେ ନାହିଁ ।
ଏହି ମାମଲା ଫେବୃଆରୀ ୨୦୨୪ ରେ ପୁଣେରେ ଆରମ୍ଭ ହୋଇଥିଲା, ଯେତେବେଳେ ପୁଣେ ସିଟି ପୋଲିସ୍ ୫୦୦ ଗ୍ରାମ ମେଫେଡ୍ରୋନ ଜବତ କରିଥିଲା। ଏହା ପରେ ସମଗ୍ର ନିଶାଦ୍ରବ୍ୟ କାରବାର ନେଟୱାର୍କକୁ ଚିହ୍ନଟ କରିବା ଏବଂ ଭାଙ୍ଗିବା ପାଇଁ ଅନୁସନ୍ଧାନକୁ ବ୍ୟାପକ କରାଯାଇଥିଲା। ପରବର୍ତୀ ଅନୁସନ୍ଧାନ ଏବଂ କାର୍ଯ୍ୟାନୁଷ୍ଠାନର ଫଳସ୍ୱରୂପ ପୁଣେରୁ ପ୍ରାୟ ୮୬୭ କିଲୋଗ୍ରାମ ଏବଂ ଦିଲ୍ଲୀରୁ ୯୭୦ କିଲୋଗ୍ରାମ ମେଫେଡ୍ରୋନ ଉଦ୍ଧାର କରାଯାଇଥିଲା। ପରବର୍ତୀ ସମୟରେ ଏହି ମାମଲାକୁ ଅଧିକ ତଦନ୍ତ ପାଇଁ ଏନସିବିର ମୁମ୍ବାଇ ଜୋନାଲ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା।
ଅନୁସନ୍ଧାନରେ ବସୋୟାଙ୍କୁ ଜଣେ ପ୍ରମୁଖ ବିଦେଶୀ ଅପରେଟିଭ୍ ଏବଂ ଅଭିଯୁକ୍ତ ଷଡଯନ୍ତ୍ରକାରୀ ଭାବରେ ଚିହ୍ନଟ କରାଯାଇଥିଲା ଯିଏ ବିଦେଶରୁ ସିଣ୍ଡିକେଟ୍ କାର୍ଯ୍ୟକଳାପକୁ ସମନ୍ୱୟ କରିଥିଲେ ଏବଂ ଭାରତରୁ ଅନ୍ୟ ଦେଶକୁ ମେଫେଡ୍ରୋନ୍ ମାଲ ରପ୍ତାନୀରେ ସହାୟତା କରିଥିଲେ।
ବାସୋୟାଙ୍କ ପ୍ରତ୍ୟାବର୍ତନ ଅପରେସନ ଗ୍ଲୋବାଲ-ହଣ୍ଟ ଅଧୀନରେ ଏନସିବିର ନିରନ୍ତର ପ୍ରୟାସର ଏକ ଅଂଶ, ଯାହା ବିଦେଶରୁ କାର୍ଯ୍ୟ କରୁଥିବା ପ୍ରମୁଖ ନିଶା ବ୍ୟବସାୟୀ ଏବଂ ପଳାତକମାନଙ୍କୁ ଚିହ୍ନଟ କରିବା ଏବଂ ଅନୁସରଣ କରିବା ପାଇଁ ଆରମ୍ଭ କରାଯାଇଥିଲା । ଏହି ପଦକ୍ଷେପ ଇଂଟରପୋଲ ରେଡ୍ ନୋଟିସ୍ ସମେତ ଅନ୍ତର୍ଜାତୀୟ ସହଯୋଗ ଏବଂ ଭାରତୀୟ ତଥା ବିଦେଶୀ ଆଇନ ପ୍ରବର୍ତନ ଏଜେନ୍ସି ସହିତ ପରିଚାଳନା ସମନ୍ୱୟକୁ ମଜବୁତ କରିଥାଏ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା