
ନୂଆଦିଲ୍ଲୀ, ଅଗଷ୍ଟ ୨୨ (ହି.ସ.) - କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଶନିବାର ଦିନ ସିଲିଗୁଡ଼ିରେ ପଶ୍ଚିମବଙ୍ଗର ପାର୍ବତ୍ୟ ଅଂଚଳର ବିଭିନ୍ନ ଅଂଶୀଦାର ଏବଂ ପ୍ରତିନିଧିଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଏହି ବୈଠକରେ ପଶ୍ଚିମବଙ୍ଗର ପାର୍ବତ୍ୟାଂଚଳର ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ତ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ସମୟରେ ପାର୍ବତ୍ୟ ଅଂଚଳର ଲୋକଙ୍କ ପୃଥକ ପରିଚୟ, ସ୍ଥାୟୀ ରାଜନୈତିକ ସମାଧାନ ଏବଂ ଭାରତୀୟ ସମ୍ବିଧାନ ଅଧୀନରେ ସ୍ୱୀକୃତି ସମ୍ବନ୍ଧୀୟ ଦାବି ମଧ୍ୟ ରଖାଯାଇଥିଲା।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାରତର ସମ୍ବିଧାନର ଢାଂଚା ମଧ୍ୟରେ ଶୀଘ୍ର ସ୍ଥାୟୀ ରାଜନୈତିକ ସମାଧାନ ପାଇଁ ଆଶ୍ୱାସନା ଦେଇଛନ୍ତି। ପାର୍ବତ୍ୟାଂଚଳ ସମ୍ପ୍ରଦାୟର ଅନ୍ୟ ସମସ୍ତ ଦାବି ଉପରେ ସହାନୁଭୂତିଶୀଳ ଭାବେ ବିଚାର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଠାରୁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ସମସ୍ତ ବିଚାରାଧୀନ ସମସ୍ୟାର ସମାଧାନ କରାଯିବ।
ଏହି ବୈଠକରେ ପୂର୍ବତନ ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ବର୍ତମାନର ବାର୍ତାଳାପକାରୀ ପଙ୍କଜ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ନିଷ୍ପତି ନିଆଯାଇଛି ଯାହା ଏକ ସ୍ଥାୟୀ ରାଜନୈତିକ ସମାଧାନ ପାଇଁ ରୂପରେଖକୁ ଚୂଡ଼ାନ୍ତ କରିବ। ଏହି କମିଟି ଭାରତର ସମ୍ବିଧାନ ଅନୁଯାୟୀ ପଶ୍ଚିମବଙ୍ଗର ପାର୍ବତ୍ୟ ଅଂଚଳର ଲୋକଙ୍କ ପାଇଁ ଏକ ସ୍ଥାୟୀ ରାଜନୈତିକ ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏକ ଚୂଡ଼ାନ୍ତ ସମାଧାନର ବିବରଣୀ ଚୂଡ଼ାନ୍ତ କରିବ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ