
ଝାରସୁଗୁଡ଼ା, ୨୨ ଅଗଷ୍ଟ (ହି.ସ.) - ଝାରସୁଗୁଡ଼ା ଜିଲ୍ଲାରେ ଜାତି ପ୍ରମାଣପତ୍ର ପାଇବାରେ ସାଧାରଣ ଜନସାଧାରଣ ନାହିଁ ନଥିବା ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ବ୍ରଜରାଜନଗର ସଚେତନ ନାଗରିକ ଓ ବ୍ରଜରାଜନଗର ନାଗରିକ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଶୁକ୍ରବାର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ଛାତ୍ରବୃତି, ନାମଲେଖା, ଚାକିରି ଓ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇଁ ଜାତି ପ୍ରମାଣପତ୍ର ଅତ୍ୟନ୍ତ ଜରୁରୀ। କିନ୍ତୁ ଅନଲାଇନ୍ରେ ୩ ରୁ ୪ ଥର ଆବେଦନ କରିବା ପରେ ବି ବିନା ଉଚିତ ତଦନ୍ତରେ ସେଗୁଡ଼ିକୁ ନାକଚ କରାଯାଉଛି। ବ୍ରଜରାଜନଗର ପୌରପରିଷଦର ୨୩ଟି ୱାର୍ଡରେ ବହୁ ସଂଖ୍ୟକ ଲୋକ ସରକାରୀ ଜମିରେ ବସବାସ କରୁଥିବାରୁ ସେମାନଙ୍କ ପାଖରେ ଜମିପଟ୍ଟା ନାହିଁ। ଜମିପଟ୍ଟାକୁ ବାଧ୍ୟତାମୂଳକ କରାଯାଉଥିବାରୁ ଯୋଗ୍ୟ ଆବେଦନକାରୀମାନେ ପ୍ରମାଣପତ୍ର ପାଇବାରୁ ବଂଚିତ ହେଉଛନ୍ତି। ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ସରଜମିନ ତଦନ୍ତ ନକରି ଦରଖାସ୍ତ ନାକଚ କରୁଥିବା ଅଭିଯୋଗ କରି ନାଗରିକ କମିଟି ଏହାର ନିରପେକ୍ଷ ତଦନ୍ତ ଓ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ଏହି ଦାବିପତ୍ରର ଅବିକଳ ନକଲ ଆଦିବାସୀ ଓ ଅନୁସୂଚିତ ଜାତି କଲ୍ୟାଣ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ବରଗଡ଼ ସାଂସଦ, ବ୍ରଜରାଜନଗର ବିଧାୟକ ଟଙ୍କଧର ତ୍ରିପାଠୀ ଏବଂ ତହସିଲଦାରଙ୍କୁ ମଧ୍ୟ ପ୍ରେରଣ କରାଯାଇଛି। ଅପରପକ୍ଷରେ, ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତିହୀନ ବୋଲି କହିଛନ୍ତି ଝାରସୁଗୁଡ଼ା ତହସିଲଦାର ସଦାକର କୁମ୍ଭାର। ସେ ପ୍ରକାଶ କରିଛନ୍ତି ଯେ, ଝାରସୁଗୁଡ଼ା ତହସିଲ ଅଂଚଳକୁ ବହୁ ସଂଖ୍ୟାରେ ଅଣ ଓଡ଼ିଆ ଲୋକ ଆସି ବସବାସ କରୁଛନ୍ତି। ଆବେଦନ କରିବା ସମୟରେ ସେମାନଙ୍କର ବଂଶଗତ ପ୍ରମାଣ କିମ୍ବା ନିଜ ମୂଳ ରାଜ୍ୟର ଜାତି ପ୍ରମାଣପତ୍ର ଦାଖଲ କରିପାରୁନାହାନ୍ତି ଜ୍ଝନିୟମାନୁସାରେ ନିୟମାନୁସାରେ ଆବଶ୍ୟକୀୟ କାଗଜପତ୍ର ଅଭାବରୁ ଏପରି ସମସ୍ୟା ଦେଖାଦେଉଛି, ତେଣୁ ପ୍ରଶାସନିକ ଅବହେଳା ନେଇ ହୋଇଥିବା ଅଭିଯୋଗ ସତ୍ୟ ନୁହେଁ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ