
ରାଉରକେଲା, ୨୨ ଅଗଷ୍ଟ (ହି.ସ.)- ରାଉରକେଲା ସର୍କିଟ ହାଉସରୁ ବନ୍ଧୁକ ଗୁଳି ଓ ୭ ଜଣ ଅପରାଧୀ ୨୧ ଦିନ ରହି ପୁଲିସ ହାତକୁ ଆସିବା ମାମଲାରେ ଏବେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ପ୍ରକାଶ ପାଶ୍ବାନଙ୍କୁ ପୁଲିସ ଖୋଜୁଥିବା ବେଳେ ରାଉରକେଲା କଂଗ୍ରେସ ଆଜି ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ କରି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କୁ ଟାର୍ଗେଟ କରିଛି ଓ କହିଛି ଶ୍ରୀ ଓରାମ ଅପରାଧୀ ମାନଙ୍କୁ ସୁରକ୍ଷା ଦେଉଛନ୍ତି ତାଙ୍କର ଆଉ ମନ୍ତ୍ରୀ ପଦରେ ରହିବାର ଅଧିକାର ନାହିଁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ।
ଏହି ଘଟଣାରେ ରାଜ୍ୟ ବିଜେପି ପ୍ରକାଶ ପାଶ୍ବାନଙ୍କୁ ଦଳରୁ ବହିଷ୍କାର କରିବା ପରେ ପୁଲିସ ତାଙ୍କୁ ଗିରଫ ଲାଗି ଖୋଜୁଛି, ଆଠ ଦିନ ତଳେ ଏହି ଘଟଣାର ତଦନ୍ତ ଲାଗି ଦାବି କରୁଥିବା ବ୍ୟକ୍ତି ପାଶ୍ବାନ ଆଜି ଫେରାର ହୋଇଯାଇଛନ୍ତି। ସେପଟେ କଂଗ୍ରେସ କହିଛି ୨୦୦୬ରୁ ୨୦୧୬ ଭିତରେ ପ୍ରାୟ ୧୭ଟି ଅପରାଧିକ ମାମଲାରେ ଥିବା ଏ ବ୍ୟକ୍ତିକୁ କେଉଁ ବିଚାରରେ ମନ୍ତ୍ରୀ ଓରାମ ନିଜ ପ୍ରତିନିଧି କଲେ ? ଆଜି ଯାଏ ଜୁଏଲଙ୍କ ଚାପରେ ପୁଲିସ ତାଙ୍କୁ ଗିରଫ କରିନଥିଲା ଓ ଜୁଏଲଙ୍କ କ୍ଷମତାରେ ସେ ସର୍କିଟ ହାଉସ ବୁକ କରି ଅପରାଧୀ ମାନଙ୍କୁ ରଖି କିଛି ବଡ଼ ଧରଣର ଅପରାଧ ଘଟାଇବାକୁ ଚାହୁଁଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି। ଖାଲି ସେତିକି ନୁହେଁ ଏହି ଘଟଣାରେ ଉପଜିଲ୍ଲାପାଳ, ଜିଲ୍ଲାପାଳ ମଧ୍ୟ ପାଶ୍ବାନଙ୍କୁ ସହଯୋଗ କରିଛନ୍ତି ତେଣୁ ତାଙ୍କୁ ମଧ୍ୟ କାଠଗଡାକୁ ଅଣାଯାଉ ବୋଲି ଦାବି ହୋଇଛି।
ଏହି ବିକ୍ଷୋଭରେ ସଭାପତି ସବୀର ହୁସେନ, ପୂର୍ବତନ ସଭାପତି ରଶ୍ମି ପାଢ଼ୀଙ୍କ ସମେତ ଶତାଧିକ ନେତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ