ଡିଗ୍ରୀ ଅଛି, ଚାକିରି ନାହିଁ!, ହାଉସ୍ କିପର ରୁ ଷ୍ଟୋର କିପର ପାଇଁ ଉଚ୍ଚ ଶିକ୍ଷିତଙ୍କ ଭିଡ଼, ନିଯୁକ୍ତି ଆବେଦନ ତାଲିକା ଦେଖାଇଲା ବାସ୍ତବ ଚିତ୍ର
ଭଦ୍ରକ, ୨୨ ଅଗଷ୍ଟ (ହି.ସ.) - ଡିଗ୍ରୀ ପରେ ଡିଗ୍ରୀ।ଶିକ୍ଷାଗତ ଯୋଗ୍ୟତା କହିଲେ ଏମବିଏ ଏମସିଏ ଏମକମ ଏମଏସଡ଼ବ୍ଲ୍ୟୁ ଏମଏ ପିଜି। ହେଲେ ଯୋଗ୍ୟତା ଅନୁଯାୟୀ ଚାକିରି ନାହିଁ। ଶେଷରେ ଯେଉଁ ପଦବୀ ପାଇଁ ସାଧାରଣ ଶିକ୍ଷାଗତ ଯୋଗ୍ୟତା ଲୋଡ଼ା,ସେହି ପଦବୀ ପାଇଁ ମଧ୍ୟ ଆବେଦନ କରିବାକୁ ପଡ଼ୁଛି। ଧାମନଗର ବ୍ଳକର କାଞ
DEGREE ACHI, CHAKIR NAHIN


ଭଦ୍ରକ, ୨୨ ଅଗଷ୍ଟ (ହି.ସ.) - ଡିଗ୍ରୀ ପରେ ଡିଗ୍ରୀ।ଶିକ୍ଷାଗତ ଯୋଗ୍ୟତା କହିଲେ ଏମବିଏ ଏମସିଏ ଏମକମ ଏମଏସଡ଼ବ୍ଲ୍ୟୁ ଏମଏ ପିଜି। ହେଲେ ଯୋଗ୍ୟତା ଅନୁଯାୟୀ ଚାକିରି ନାହିଁ। ଶେଷରେ ଯେଉଁ ପଦବୀ ପାଇଁ ସାଧାରଣ ଶିକ୍ଷାଗତ ଯୋଗ୍ୟତା ଲୋଡ଼ା,ସେହି ପଦବୀ ପାଇଁ ମଧ୍ୟ ଆବେଦନ କରିବାକୁ ପଡ଼ୁଛି। ଧାମନଗର ବ୍ଳକର କାଞ୍ଜିଆପାଳସ୍ଥିତ ମହାପୁରୁଷ ଆଶ୍ରମର ନିଯୁକ୍ତି ଆବେଦନ ତାଲିକାରୁ ଏଭଳି ନିଯୁକ୍ତି ସମସ୍ୟା ଏବଂ ଶିକ୍ଷିତ ବେକାରୀର ଏଭଳି ଏକ ଚିତ୍ର ସାମ୍ନାକୁ ଆଣିଛି।ମହାପୁରୁଷ ଆଶ୍ରମ ପକ୍ଷରୁ ପ୍ରକାଶିତ ଅସ୍ଥାୟୀ ଡ୍ରାଫ୍ଟ ତାଲିକା (ବିଜ୍ଞାପନ ନଂ- ୧୦/ଏମଏକେ/୨୦୨୫-୨୬)ରେ ହାଉସ କିପର, ଷ୍ଟୋର କିପର କମ୍ ଆକାଉଂଟାଂଟ ଓ ହାଉସ ଫାଦର/ମଦର ପଦ ପାଇଁ ଉଚ୍ଚଶିକ୍ଷିତ ପ୍ରାର୍ଥୀଙ୍କ ନାମ ଦେଖିବାକୁ ମିଳିଛି। ହାଉସ କିପର ପଦ ପାଇଁ ପି ଜି ଡିଗ୍ରୀଧାରୀ ଆବେଦନ କରିଥିବା ବେଳେ ଷ୍ଟୋର କିପର କମ ଆକାଉଂଟାଂଟ ପାଇଁ ଏମବିଏ ଏମକମ ଏମଏସଡ଼ବ୍ଲ୍ୟୁ ଡିଗ୍ରୀ ହାସଲକାରୀଙ୍କ ନାମ ରହିଛି। ହାଉସ ଫାଦର/ମଦର ପଦ ପାଇଁ ମଧ୍ୟ ଅନୁରୂପ ଏମଏ ଏମସିଏ ଏବଂ ଏମବିଏ ଡିଗ୍ରୀଧାରୀ ପ୍ରାର୍ଥୀ ଆବେଦନ ତାଲିକାଭୁକ୍ତ ହୋଇଛନ୍ତି। ଏହି ତାଲିକା ଏକ ପ୍ରଶ୍ନ ଉଠାଇଛି—ଉଚ୍ଚଶିକ୍ଷା ପରେ ଯଦି ଯୋଗ୍ୟତା ଅନୁଯାୟୀ ଚାକିରି ନମିଳେ, ତେବେ ଯୁବପିଢ଼ି କେଉଁ ଦିଗକୁ ଯିବ! ଚାକିରି ପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତି, ଡିଗ୍ରୀ ହାସଲ ଓ ପ୍ରତିଯୋଗିତା ପରେ ମଧ୍ୟ ନିଯୁକ୍ତିର ସୁଯୋଗ ସୀମିତ ରହିବା ଅନେକ ଶିକ୍ଷିତ ଯୁବକଯୁବତୀଙ୍କୁ ନିଜ ଯୋଗ୍ୟତାଠାରୁ କମ୍ ପଦବୀ ପାଇଁ ମଧ୍ୟ ପ୍ରତିଯୋଗିତା କରିବାକୁ ବାଧ୍ୟ କରୁଛି।ଏହା କେବଳ ଧାମନଗରର ଏକ ନିଯୁକ୍ତି ତାଲିକା ନୁହେଁ; ବରଂ ଶିକ୍ଷା ଓ ରୋଜଗାର ମଧ୍ୟରେ ବଢ଼ୁଥିବା ଦୂରତା ଉପରେ ଏକ ଗମ୍ଭୀର ପ୍ରଶ୍ନ। ଉଚ୍ଚଶିକ୍ଷାର ପ୍ରସାର ସହ ଯଦି ସେହି ଅନୁପାତରେ ରୋଜଗାର ସୃଷ୍ଟି ନହୁଏ, ତେବେ ଡିଗ୍ରୀଧାରୀଙ୍କ ସଂଖ୍ୟା ବଢ଼ିବା ସତ୍ୱେ ବେକାରୀର ଚାପ କମିବା କଷ୍ଟକର। ତେବେ ଏହା ଡ୍ରାଫ୍ଟ ତାଲିକା ହୋଇଥିବାରୁ ଚୂଡ଼ାନ୍ତ ନିଯୁକ୍ତି ନେଇ ଏଥିରୁ କୌଣସି ନିଷ୍କର୍ଷ ଟାଣିବା ଠିକ ହେବ ନାହିଁ। ତାଲିକାକୁ ନେଇ କୌଣସି ଆପତି କିମ୍ବା ଅଭିଯୋଗ ଥିଲେ ୩୦ ଅଗଷ୍ଟ ୨୦୨୬ ସୁଦ୍ଧା ଉପଯୁକ୍ତ ପ୍ରମାଣ ସହ ମହାପୁରୁଷ ଆଶ୍ରମର ସମ୍ପାଦକଙ୍କ ନିକଟରେ ଲିଖିତ ଭାବେ ଦାଖଲ କରାଯାଇପାରିବ। ଡିଗ୍ରୀ ବଢ଼ୁଛି, ଆଶା ବଢ଼ୁଛି; କିନ୍ତୁ ଯୋଗ୍ୟତା ଅନୁଯାୟୀ ରୋଜଗାରର ସୁଯୋଗ କିପରି ସୃଷ୍ଟି ହେବ ତାହାକୁ ନେଇ ସାଧାରଣରେ ସଂଶୟ ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande