
କେନ୍ଦ୍ରାପଡ଼ା, ୨୨ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ୍ସରେ ରୁମ୍ରେ କାର୍ଯ୍ୟରତ ଜୁନିୟର ରେଡ଼ିଓ ଗ୍ରାଫର ସତ୍ୟବ୍ରତ ରାଉତଙ୍କୁ ଡାକ୍ତର ରଙ୍କନିଧି ବେହେରା ଆକ୍ରମଣ କରିଥିବା ସହ ଏକ୍ସରେ ମେସିନ୍ରେ ବ୍ୟବହୃତ କ୍ୟାସେଟ୍ ଭାଙ୍ଗି ଦେଇଥିବା, ରେଡିଓ ଗ୍ରାଫରଙ୍କୁ ମାଡ଼ ମାରୁଥିବାବେଳେ କର୍ମଚାରୀ ଜଣଙ୍କ ମୋବାଇଲରେ ଭିଡିଓ ଉତୋଳନ କରିବାରୁ ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ୍ସରେ ରୁମ୍ରେ ଗତକାଲି ରାତିରେ ରେଡ଼ିଓ ଗ୍ରାଫର ସତ୍ୟବ୍ରତ ରାଉତ ଓ ଡାକ୍ତର ରଙ୍କନିଧି ବେହେରା ଡିୟୁଟିରେ ଥିଲେ। ରାତି ପ୍ରାୟ ୦୪ଟାରେ ଜଣେ ରୋଗୀ ଏକ୍ସରେ କରିବାକୁ ଆସି ଏକ୍ସରେ ରୁମ୍ କବାଟ ବାଡ଼େଇଥିଲେ ଓ ୧୫ମିନିଟ୍ ପରେ କର୍ମଚାରୀ କବାଟ ଖୋଲିବା ପରେ ରୋଗୀଙ୍କ ଏକ୍ସରେ ପରୀକ୍ଷା କରିଥିଲେ। ଏହା ପରେ ପରେ ହଠାତ୍ ଡାକ୍ତର ରଙ୍କନିଧି ବେହେରା ଏକ୍ସରେ ରୁମ୍କୁ ଆସି କର୍ମଚାରୀ ଜଣଙ୍କୁ କାହିଁକି ତମେ ରାତିରେ ଶୋଇଥିଲ କହିକି ବିଭିନ୍ନ ପ୍ରକାର ଦୁର୍ବବ୍ୟବହାର କରିଥିବା ସହ ମାଡ଼ ମାରି ମୋବାଇଲ ଛଡ଼ାଇ ନେଇ ଫାଣ୍ଡିରେ ଦେଇଥିଲେ। ଘଟଣା ସମ୍ପର୍କରେ ରେଡ଼ିଓ ଗ୍ରାଫର ତାଙ୍କ ଇନଚାର୍ଜ ମାଡାମଙ୍କୁ ଡାକ୍ତର ତାଙ୍କୁ ମାଡ଼ ମାରିଥିବାନେଇ ଅବଗତ କରାଇଥିଲେ। ଏହାପରେ ଇନ୍ଚାର୍ଜରେ ଥିବା ଗୀତାଞ୍ଜଳି ଜେନା ସମୟ ପାଖାପାଖି ୦୪.୩୦ରେ ମେଡିକାଲ ଏଡିଏମ୍ ଡାଃ କିଶୋର ଚନ୍ଦ୍ର ମିଶ୍ରଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏଡିଏମ୍ ଘଟଣାସ୍ଥଳକୁ ହସ୍ପିଟାଲ ମ୍ୟାନେଜରକୁ ପଠାଇବା ପରେ କର୍ମଚାରୀଙ୍କ ଠାରୁ ଡାକ୍ତର ଛଡ଼ାଇ ନେଇଥିବା ମୋବାଇଲକୁ ଫାଣ୍ଡିରୁ ଆଣି କର୍ମଚାରୀଙ୍କୁ ଦେଇଥିଲେ। ଏହାପରେ ସକାଳ ଡ୍ୟୁଟିରେ କର୍ମଚାରୀମାନେ ଆସିବା ପରେ ତାଙ୍କ ମେଡ଼ିକାଲ ଏଡିଏମ୍ ଓ ରାଜ୍ୟ ସଂଘକୁ ଏ ବିଷୟରେ ଅବଗତ କରାଇଥିଲେ ଏବଂ ଏହାପରେ କର୍ମଚାରୀମାନେ ରୋଗୀ ସେବା ବନ୍ଦ କରି ନ୍ୟାୟ ଦାବିରେ ଧାରଣାରେ ରହିଥିଲେ। ଫଳରେ କିଛି ସମୟ ଧରି ରୋଗୀ ଏକ୍ସରେ କରିବା ପାଇଁ ଅପେକ୍ଷାରେ ବସି ରହିଥିଲେ। ସିଡିଏମ୍ଓ ଡାଃ ନମିତା ପଟ୍ଟନାୟକ ମେଡ଼ିକାଲରେ ପହଂଚି ଘଟଣାର ପୁଙ୍ଖାନୁପୁଙ୍ଖ କର୍ମଚାରୀମାନଙ୍କ ସହ ଆଲୋଚନା କରିବା ସହ ୭୨ଘଂଟା ଭିତରେ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି