
ଝାରସୁଗୁଡ଼ା, ୨୨ ଅଗଷ୍ଟ (ହି.ସ.)- କମ୍ପାନୀର ଟଙ୍କା ହେରଫେର କରିବା ପରେ ତାହାକୁ ଲୁଚାଇବା ପାଇଁ ନକଲି ଡକାୟତିର ନାଟକ ରଚିଥିବା ଅଭିଯୋଗରେ ବଡମାଲ ପୁଲିସ ଜଣେ କ୍ୟାଶ୍ ମ୍ୟାନେଜମେଣ୍ଟ କମ୍ପାନୀ କର୍ମଚାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଶନିବାର ପୁଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲା ସେକ୍ଟର-୬ର ପିଙ୍କୁ ସୁନା ଓରଫ ସାନା (୩୩), ମନୋଜ ନନ୍ଦ (୨୨), ରବି ସୁନା (୨୯) ଏବଂ ସେକ୍ଟର-୧୫ର ଆନନ୍ଦ ତାଣ୍ଡିଆ (୩୫)। ପିଙ୍କୁ ଏକ କ୍ୟାଶ୍ ମ୍ୟାନେଜମେଣ୍ଟ କମ୍ପାନୀରେ କ୍ୟାଶ୍ ଏକ୍ଜିକ୍ୟୁଟିଭ୍ ଭାବେ କାର୍ଯ୍ୟରତ ଥିଲେ। ଝାରସୁଗୁଡ଼ାର ବିଭିନ୍ନ ଗ୍ରାହକଙ୍କଠାରୁ ଟଙ୍କା ସଂଗ୍ରହ କରି ନିର୍ଦ୍ଦିଷ୍ଟ ବ୍ୟାଙ୍କ ଖାତାରେ ଜମା କରିବା ତାଙ୍କ ଦାୟିତ୍ୱ ଥିଲା।
ପୁଲିସର ସୂଚନା ଅନୁଯାୟୀ, ଅଗଷ୍ଟ ୧୮ ତାରିଖରେ ପିଙ୍କୁ ୨.୩୦ ଲକ୍ଷ ଟଙ୍କା ଜମା କରିଥିବା ବେଳେ ଗ୍ରାହକଙ୍କ ଠାରୁ ସଂଗ୍ରହ କରିଥିବା ୫.୩୮ ଲକ୍ଷ ଟଙ୍କା ଜମା କରିନଥିଲେ। କମ୍ପାନୀ ପକ୍ଷରୁ ଟଙ୍କା ସମ୍ପର୍କରେ ପଚରାଯିବା ପରେ ସେ ବଡମାଲ ଥାନା ଅଞ୍ଚଳର ଟୟୋଟା ସୋ’ରୁମ୍ ନିକଟରେ ଅଜଣା ବ୍ୟକ୍ତିମାନେ ତାଙ୍କଠାରୁ ୫.୩୮ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଥିଲେ। ଏହା ପୂର୍ବରୁ ସଂଗ୍ରହ କରିଥିବା ଆଉ ୩.୫୯ ଲକ୍ଷ ଟଙ୍କା ମଧ୍ୟ ସେ ଜମା କରିନଥିବା ଜଣାପଡ଼ିଥିଲା। ତେବେ ତାଙ୍କ ବୟାନରେ ଅସଙ୍ଗତି ଏବଂ ପୂର୍ବରୁ ଟଙ୍କା ଜମା ନକରିବା ଘଟଣା ପୁଲିସର ସନ୍ଦେହ ବଢ଼ାଇଥିଲା। ଏହାପରେ ପୁଲିସ ବୈଜ୍ଞାନିକ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍, ଟେକ୍ନିକାଲ୍ ସର୍ଭିଲାନ୍ସ, ସ୍ଥାନୀୟ ସୂଚନା ଏବଂ ଅଭିଯୁକ୍ତମାନଙ୍କ ଗତିବିଧି ଯାଞ୍ଚ କରିବା ପରେ ଘଟଣାଟି ଏକ ପୂର୍ବ ପ୍ରସ୍ତୁତ ଷଡ଼ଯନ୍ତ୍ର ବୋଲି ପୁଲିସ ଜାଣିବାକୁ ପାଇଥିଲା।
ଅଭିଯୋଗ ଅନୁଯାୟୀ, ଟଙ୍କା ହେରଫେରକୁ ଲୁଚାଇବା ପାଇଁ ପିଙ୍କୁ ନିଜ ସହଯୋଗୀମାନଙ୍କ ସହ ମିଶି ଡକାୟତିର ନାଟକ ରଚିଥିଲେ। ଅଗଷ୍ଟ ୧୬ ତାରିଖରେ ରାଉରକେଲାରେ ଏହି ଷଡ଼ଯନ୍ତ୍ରର ଯୋଜନା ହୋଇଥିବା ଏବଂ ଦୁଇ ଦିନ ପରେ ଏହାକୁ କାର୍ଯ୍ୟକାରୀ କରାଯାଇଥିବା ପୁଲିସ କହିଛି। ପୁଲିସ ଅନୁସାରେ, ପିଙ୍କୁ ତାଙ୍କ ସମ୍ପର୍କୀୟ ରବିଙ୍କୁ ଏହି ଯୋଜନାରେ ସାମିଲ କରିଥିଲେ। ରବି ଆନନ୍ଦଙ୍କୁ ଏଥିରେ ଯୋଡ଼ିଥିବା ବେଳେ ମନୋଜ ଟଙ୍କା ସଂଗ୍ରହ ହେଉଥିବା ସ୍ଥାନଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିବା ଅଭିଯୋଗ ରହିଛି।
ଝାରସୁଗୁଡ଼ା ଏସପି ଜି.ଆର୍. ରାଘବେନ୍ଦ୍ର କହିଛନ୍ତି ଯେ, ସିସିଟିଭି ଫୁଟେଜ୍, ଟେକ୍ନିକାଲ୍ ସର୍ଭିଲାନ୍ସ, ସ୍ଥାନୀୟ ଗୁଇନ୍ଦା ସୂଚନା ଏବଂ ସନ୍ଦିଗ୍ଧମାନଙ୍କ ଗତିବିଧି ଯାଞ୍ଚ କରି ତଦନ୍ତ କରାଯାଇଥିଲା। ତଦନ୍ତରୁ ଘଟଣାଟି ପୂର୍ବ ପ୍ରସ୍ତୁତ ଥିବା ସ୍ପଷ୍ଟ ହୋଇଥିବା ଏବଂ ପିଙ୍କୁ ସୁନା ଏହାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ସାମ୍ନାକୁ ଆସିଥିବା ସେ କହିଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୪.୮୯ ଲକ୍ଷ ଟଙ୍କା, ୫ଟି ମୋବାଇଲ୍ ଫୋନ୍ ଏବଂ ୨ଟି ମୋଟରସାଇକେଲ୍ ଜବତ କରିଛି। ଏହି ଘଟଣାରେ ମୋଟ ପ୍ରାୟ ୮.୪୮ ଲକ୍ଷ ଟଙ୍କା ହେରଫେର ହୋଇଥିବା ପୁଲିସ ଆକଳନ କରିଛି। ଏନେଇ ଭାରତୀୟ ନ୍ୟାୟ ସଂହିତା ର ଧାରା ୩୧୬(୪) ଏବଂ ୬୧ ଅନୁଯାୟୀ ମାମଲା ରୁଜୁ ହୋଇଛି। ବାକି ଟଙ୍କା ଉଦ୍ଧାର, ଆର୍ଥିକ କାରବାରର ଟ୍ରେଲ୍ ଯାଞ୍ଚ ଏବଂ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ