
କନ୍ଧମାଳ, ୨୨ ଅଗଷ୍ଟ (ହି.ସ.)- ସାରା ଦେଶରେ ଜେ.ଏନ୍.ଜି. ଓ ଜେ.ଏନ୍.ଏକ୍ସ ର ଚର୍ଚ୍ଚା ହେଉଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ତାଙ୍କର ଅନୁଷ୍ଠାନରେ କର୍ମରତ କର୍ମଚାରିଙ୍କୁ ନେଇ ଏକ ଆଲୋଚନା ମାଧ୍ୟମରେ ଏହା ବୁଝିବା ପାଇଁ ପ୍ରୟାସ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ବିଭିନ୍ନ ଦଳଗତ ଆଲୋଚନା ମଧ୍ୟମରେ କର୍ମୀ ମାନଙ୍କୁ ଜୀବନର ଲକ୍ଷ୍ୟ ହାସଲ ଓ ସମାଜ ପ୍ରତି ଦାୟିତ୍ଵକୁ ଭଲରୁପେ ବୁଝିବା ପାଇଁ ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ଉପସ୍ଥାପନା କରିବାକୁ ଚେଷ୍ଟା କରିଥିଲେ । ଏଥିରେ ଅନୁଷ୍ଠାନର କନିଷ୍ଠ ଓ ବରିଷ୍ଠ କର୍ମୀ ମାନେ ଉପସ୍ଥିତ ରହି ସେମାନଙ୍କ ମତ ରଖିଥିଲେ । ଏହା ସହିତ କିପରି ଉଭୟ ଗୋଷ୍ଠିଙ୍କ ମଧ୍ୟରେ ସଠିକ୍ ବୁଝାମଣା, ଭାବର ଆଦାନ ପ୍ରଦାନ ଓ ଅଭିଜ୍ଞତାକୁ ଆଲୋଚନା କରାଯାଇପାରିବ ତାହାକୁ ଗୁରୁତ୍ୱ ଦିଆଯାଇଥିଲା । ଜେ.ଏନ୍.ଏକ୍ସ ମାନଙ୍କୁ ଜେ.ଏନ୍.ଜି. ମାନଙ୍କର ମାନସିକତାକୁ ଚିହ୍ନି ସେମାନଙ୍କ ସହିତ ବାତାନୁକୁଳିତ ଆଚରଣ କରିବା ଉଚିତ୍ ବୋଲି ମତ ପ୍ରକାଶ ପାଇଥିଲା । ତତ୍ସହିତ ସେମାନଙ୍କ ବୁଝାମଣା ମଧ୍ୟରେ ଥିବା ଅସାମନ୍ଜସ୍ୟତାକୁ ଦୁରାଇବା ପାଇଁ ଉଭୟ ପକ୍ଷରୁ ଚେଷ୍ଟା ରହିବା ଉଚିତ୍ ବୋଲି ସମ୍ପାଦକ ତାଙ୍କ ବକ୍ତବ୍ୟରେ କହିଥିଲେ । ଆଜିର ସମୟରେ ମୋବାଇଲ୍ ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ହୋଇଥିବା ବେଳେ ଏହାକୁ ନିଶା ସଦୃଶ ବ୍ୟବହାର ନକରିବା ପାଇଁ ଆହ୍ୱାନ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ