
ବାରାଣାସୀ /ଭୁବନେଶ୍ୱର, ୨୨ ଅଗଷ୍ଟ (ହି.ସ)- ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ବାରାଣାସୀଠାରେ ଆୟୋଜିତ ଏଫଏଚଆରଏଆଇର ୫୬ତମ ବାର୍ଷିକ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଯୋଗଦେଇଛନ୍ତି। ଅନନ୍ତ କାଶୀ: ଆଧ୍ୟାତ୍ମିକତା, ସଂସ୍କୃତି, ବ୍ୟଞ୍ଜନ ଏବଂ କଳା ମାଧ୍ୟମରେ ପର୍ଯ୍ୟଟନର ଭବିଷ୍ୟତ' ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି, ଉପମୁଖ୍ୟମନ୍ତ୍ରୀ ଓଡ଼ିଶା ଦୃଷ୍ଟିକୋଣରୁ ପର୍ଯ୍ୟଟନ, ହୋଟେଲ ଶିଳ୍ପ, ଗ୍ରାମୀଣ ଅର୍ଥନୀତି ଏବଂ ବିକାଶ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ।
କାଶୀ ଏବଂ ଓଡ଼ିଶା ମଧ୍ୟରେ ଥିବା ଆଧ୍ୟାତ୍ମିକ ସମ୍ପର୍କ ବିଷୟରେ ଆଲୋଚନା କରି କହିଥିଲେ ଯେ, କାଶୀର ବାବା ବିଶ୍ୱନାଥ ଏବଂ ପୁରୀର ମହାପ୍ରଭୁ ଶ୍ରୀ ଜଗନ୍ନାଥ ହରି' ଓ ହର'ଙ୍କ ଏକତାକୁ ଦର୍ଶାନ୍ତି। ଏହା ପର୍ଯ୍ୟଟକଙ୍କୁ କେବଳ ଭ୍ରମଣ ଅନୁଭୂତି ନୁହେଁ, ବରଂ ଭାରତୀୟ ସଂସ୍କୃତିର ଏକ ଗଭୀର ଅନୁଭୂତି ପ୍ରଦାନ କରିଥାଏ।
ଓଡ଼ିଶାରେ ସବୁ ପ୍ରକାର ପର୍ଯ୍ୟଟନ ସମ୍ଭାବନା ରହିଛି। ଆପଣଙ୍କର ପ୍ରତ୍ୟେକ ହୋଟେଲ ରହଣି ସ୍ଥାନୀୟ ଚାଷୀ, ହସ୍ତଶିଳ୍ପ, ପରିବହନ ଏବଂ ଶକ୍ତି କ୍ଷେତ୍ରକୁ ପ୍ରତ୍ୟକ୍ଷ ବା ପରୋକ୍ଷରେ ସାହାଯ୍ୟ କରିଥାଏ। ସ୍ଥାନୀୟ ଚାଷୀ ଓ ବ୍ୟବସାୟୀଙ୍କୁ ରୋଜଗାର ଦେବା ପାଇଁ ହୋଟେଲ ଶିଳ୍ପ ସ୍ଥାନୀୟ ଉତ୍ପାଦ କିଣିବା ସହ ପରିବେଶ ଅନୁକୂଳ ସ୍ୱଚ୍ଛ ଶକ୍ତି ବ୍ୟବହାର କରିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଆହ୍ୱାନ ଦେଇଛନ୍ତି।
ସରକାର, ହୋଟେଲ ଶିଳ୍ପ ଏବଂ ସ୍ଥାନୀୟ ଲୋକଙ୍କ ମିଳିମିଶି କାମ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଓଡ଼ିଶାକୁ ଉତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟ ସହିତ ଯୋଡ଼ି ପର୍ଯ୍ୟଟନ ସର୍କିଟ ଗଢ଼ିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରସ୍ତାବ ମଧ୍ୟ ଦେଇଛନ୍ତି।
ନିଜର ଅଭିଭାଷଣ ଶେଷରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ, ଭ୍ରମଣରେ ଆସି ସାଥୀରେ ପର୍ଯ୍ୟଟନର, ନିଜର ସୁନ୍ଦର ସ୍ମୃତି ଓ ଅନୁଭୂତି ନିଅନ୍ତୁ'। ସ୍ଥାନୀୟ ଐତିହ୍ୟ ଓ ଲୋକଙ୍କ ବିକାଶକୁ ଧ୍ୟାନରେ ରଖି ପର୍ଯ୍ୟଟନର ଅଭିବୃଦ୍ଧି କରିବାକୁ ଅଂଶଗ୍ରହଣକାରୀଙ୍କୁ ଅନୁରୋଧ କରିଛନ୍ତି । ଉଦଘାଟନୀ ଅଧିବେଶନରେ ଦେଶର ପ୍ରମୁଖ ପର୍ଯ୍ୟଟନ ସଂସ୍ଥାର ପ୍ରତିନିଧି, ହୋଟେଲ ଓ ରେଷ୍ଟୁରାଂଟ ଆସୋସିଏସନ ସଦସ୍ୟ ଓ ଅଧିକାରୀବୃନ୍ଦ ଯୋଗଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା