
ନୂଆପଡ଼ା,୨୨ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ୱେଷ୍ଟର୍ନ ଓଡ଼ିଶା ରେସିଡେନ୍ସିଆଲ ପବ୍ଲିକ ସ୍କୁଲ ପରିସରରେ ଶନିବାର ସବୁଜ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ସଂରକ୍ଷଣ, ରକ୍ଷଣାବେକ୍ଷଣ ଏବଂ ମାନବ ସମାଜ ପାଇଁ ଜଙ୍ଗଲର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ସ୍ନିଗ୍ଧା ଘୋଷ ବିଦ୍ୟାଳୟ ପରିସରକୁ ସର୍ବଦା ସବୁଜ ଓ ସତେଜ ରଖିବା ସହ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ସବୁଜ ଦିବସ ଅବସରରେ ସ୍କୁଲର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ବୃକ୍ଷଚାରା ଉପହାର ସ୍ୱରୂପ ବିଦ୍ୟାଳୟକୁ ପ୍ରଦାନ କରିଥିଲେ। ଏହାଦ୍ୱାରା ବିଦ୍ୟାଳୟ ପରିସରକୁ ଅଧିକ ସବୁଜ ଓ ସୁନ୍ଦର କରିବା ସହ ପରିବେଶ ସୁରକ୍ଷାର ବାର୍ତା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସଭା ଶେଷରେ ଶିକ୍ଷୟିତ୍ରୀ ରୁଚିତା ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ