
ଜୟପୁର, ୨୨ ଅଗଷ୍ଟ(ହି.ସ.) – କୋରାପୁଟ ଜିଲ୍ଲାରେ ବର୍ଷା ସହ ଚାଷ କାର୍ଯ୍ୟ ଜୋରଦାର ଭାବେ ଆରମ୍ଭହୋଇଛି। ଲଗାଣ ବର୍ଷା ପରେ ଚାଷୀ ଧାନ ତଳି ପ୍ରସ୍ତୁତି, ବିହନ ବୁଣା, ଜମି ଚାଷ ଏବଂ ରୋପଣ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ହେଲେ ଏହି ସମୟରେ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି ରାସାୟନିକ ସାଗର ଉପଲବ୍ଧତା। ବିଶେଷ କରି ୟୁରିଆ, ଡିଏସି, ଏନ୍ପିକେ, ଏମ୍ଓପି ଓ ଅନ୍ୟାନ୍ୟ ସାରର ଚାହିଦା ହଠାତ୍ ବଢ଼ିଯାଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଅନିଶ୍ଚିତତା ଦେଖାଦେଇଛି। କୋରାପୁଟ ଜିଲା ଏକ କୃଷି ପ୍ରଧାନ ଜିଲ୍ଲା ଓ ଏଠାରେ ଅଧିକାଂଶ ପରିବାର ଚାଷ ଉପରେ ନିର୍ଭରଶୀଳ। ବର୍ଷା ଠିକ୍ ସମୟରେ ହେଲେ ଚାଷୀ ତୁରନ୍ତ ସାର ସଂଗ୍ରହ କରି ଫସଲରେ ପ୍ରୟୋଗ କରିବାକୁ ଚାହାନ୍ତି ଓ କାରଣ ଚାଷର ପ୍ରତ୍ୟେକ ପର୍ଯ୍ୟାୟରେ ସାରର ଆବଶ୍ୟକତା ଭିନ୍ନ ଭିନ୍ନ ଥାଏ। ବିହନ ବୁଣିବାବେଳେ ଡିଏପି ଓ ଏନ୍ପିକେର ଚାହିଦା ଅଧିକ ଥିବାବେଳେ ରୋପଣ ପରେ ଗଛର ବୃଦ୍ଧି ପାଇଁ ଯୁରିଆର ବ୍ୟବହାର ବଢ଼ିଥାଏ। ଯଦି ଠିକ୍ ସମୟରେ ସାର ମିଳିନଥାଏ ତେବେ ଫସଲର ବୃଦ୍ଧି ବାଧାପ୍ରାପ୍ତ ହେବା ସହ ଉତ୍ପାଦନ ମଧ୍ୟ କମିଯିବାର ଆଶଙ୍କା ରହିଥାଏ। ପ୍ରତିବର୍ଷ ଚାଷ ଋତୁ ଆସିଲେ ସାର ବଂଟନକୁ ନେଇ କୋରାପୁଟ ଜିଲ୍ଲାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ। ଅନେକ ସମୟରେ ସମବାୟ ସମିତି ଓ ଅନୁମୋଦିତ ସାର ବିକ୍ରୟ କେନ୍ଦ୍ରରେ ଚାଷୀ ସାର ପାଇଁ ଲମ୍ବା ଧାଡ଼ି ଲଗାଇଥାନ୍ତି ଓ ଘଂଟା ଘଂଟା ଅପେକ୍ଷା କରିବା ପରେ ମଧ୍ୟ ଅନେକ ଚାଷୀ ପୂବ ବର୍ଷ ଖାଲି ହାତରେ ଫେରୁଥିବା ଦେଖିବାକୁ ମିଳିଥାଏ। ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ସାରକୁ ଲୁଚାଇ ରଖି ଅଧିକ ଦାମରେ ବିକ୍ରି କରୁଥିବା ଅଭିଯୋଗ ମଧ୍ୟ ଆସିଥାଏ। ଏହି କଳାବଜାରି ଯୋଗୁଁ ସରକାର ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ଦେଇ ସାର କିଣିବାକୁ ଚାଷୀ ବାଧ୍ୟ ହେଉଥିବାରୁ ସେମାନଙ୍କ ଆର୍ôଥକ ବୋଝ ବଢ଼ିଯାଉଥିବା ଦେଖବାକୁ ମିଳିଥାଏ। କୃଷି ବିଶେଷଜ୍ଞଙ୍କ ମତରେ ବର୍ଷା ପରେ ପ୍ରଥମ ଏକରୁ ଦୁଇ ମାସ ସାରର ଚାହିଦା ସର୍ବାଧିକ ରହିଥାଏ। ଏହି ସମୟରେ ଯଦି ପର୍ଯ୍ୟାପ୍ତ ପରିମାଣର ସାର ଯୋଗଣ ନହୁଏ କିମ୍ବା ବଂଟନ ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖାଯାଏ ତେବେ ଚାଷୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି। ଠିକ୍ ସମୟରେ ସାର ପ୍ରୟୋଗ ନହେଲେ ଫସଲର ବୃଦ୍ଧି ଉପରେ ସିଧାସଳଖ ପ୍ରଭାବ ପଡ଼େ ଏବଂ ଅମଳ ହ୍ରାସ ପାଇଥାଏ। କୋରାପୁଟ ଜିଲା ଅନେକ ଅଂଚଳରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା ଅଧିକ। ଏମାନେ ଋଣ କରି କିମ୍ବା ଧାର ଉପରେ ଚାଷ କରୁଥିବାରୁ ସାରର ଦର ବଢ଼ିଲେ କିମ୍ବା ସମୟରେ ନମିଳିଲେ ସେମାନଙ୍କ ଆର୍ôଥକ ସ୍ଥିତି ଆହୁରି ଦୁର୍ବଳ ହୋଇପଡ଼େ। ଅନେକ ଚାଷୀ ବାଧ୍ୟହୋଇ ବେସରକାରୀ ଦୋକାନରୁ ଅଧିକ ଦାମରେ ସାର କିଣିଥାନ୍ତି ଓ ଏହା ଚାଷ ଖର୍ଚ୍ଚ ବଢ଼ାଇବା ସହ ଲାଭର ପରିମାଣକୁ ମଧ୍ୟ କମାଇ ଦେଇଥାଏ ଓ ତେବେ ଜିଲ୍ଲାରେ ପୂର୍ବ ବର୍ଷ ହୋଇଥିବା ସାର ବଂଟନ ଅନିୟମିତତା ଓ କଳାବଜାର ଘଟଣା ଉପରେ ନଜର ପକାଇଲେ ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହେବାନେଇ ଆଶଙ୍କା ପ୍ରକାଶ ପାଇଛି। କୃଷି ବିଭାଗ ସହ ମିଳିତ ଟିମ୍ କୁନ୍ଦୁରା, କୋଟପାଡ଼ ଜୟପୁରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏମିତିରେ ଚାଷୀଙ୍କ ଦାବି ଅନୁସାରେ ସରକାର ପ୍ରତ୍ୟେକ ସମବାୟ ସମିତି ଓ ଅନୁମୋଦିତ ବିକ୍ରୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ କରାଇବା ସହ ବଂଟନ ବ୍ୟବସ୍ଥା ଉପରେ କଡ଼ା ନଜର ରଖିବା ଆବଶ୍ୟକ। ସେହିପରି ସାରର କୃତ୍ରିମ ଅଭାବ ସୃଷ୍ଟି କରି କଳାବଜାର କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଆବଶ୍ୟକତା ଅନୁଯାୟୀ ସନ୍ତୁଳିତ ସାର ବ୍ୟବହାର କରିବା, ମୃତିକା ପରୀକ୍ଷା ଆଧାରରେ ସାର ପ୍ରୟୋଗ କରିବା ଏବଂ ଅନୁମୋଦିତ ବିକ୍ରେତାଙ୍କ ଠାରୁ ରସିଦ ସହ ସାର କିଣିବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ଅନିୟମିତତା ରୋକାଯିବା ସହ ଚାଷୀଙ୍କ ସ୍ୱାର୍ଥ ମଧ୍ୟ ସୁରକ୍ଷିତ ରହିପାରିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷା ସହ କୋରାପୁଟ ଜିଲାର ବୈପାରିଗୁଡ଼ା, ଜୟପୁର, ବୋରିଗୁମ୍ମା, କୋଟପାଡ଼, କୁନ୍ଦୁରାରେ ଚାଷ କାର୍ଯ୍ୟ ଗତି ଧରିଥିବାବେଳେ ସାରର ନିରବଚ୍ଛିନ୍ନ ଯୋଗାଣ ଏବଂ କଳାବଜାରି ରୋକିବା ଏବେ ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି କୃଷି ବିଭାଗ ତରଫରୁ ବୈପାରିଗୁଡ଼ା, ଜୟପୁର କୁନ୍ଦୁର, କୋଟପାଡ଼ରେ ଚଢ଼ାଉ କରି ସାର ଜବତ କରିବା ସହ ନୋଟିସ କରି ତାଗିଦ କରିଥିଲା। ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରାଗଲେ ଚାଷୀ ନିର୍ବିଘ୍ନରେ ଚାଷ କାର୍ଯ୍ୟ ସମ୍ପନ୍ନ କରି ଭଲ ଅମଳ ଆଶା କରିପାରିବେ। ଅନ୍ୟଥା ସାର ଅଭାବ, କଳାବଜାର ଏବଂ ବଢ଼ୁଥିବା ଚାଷ ଖର୍ଚ୍ଚ ଚାଷୀଙ୍କ ସମସ୍ୟାକୁ ଆହୁରି ଗମ୍ଭୀର କରିଦେବ। ଏହୁକୁ ଦୃଷ୍ଟିରେ କୃଷି ବିଭାଗ ତତ୍ପରତା ପ୍ରକାଶ କରିଥିବାବେଳେ ଚଢ଼ାଉକୁ ଜୋର ସୋର କରିବା ପାଇଁ ସାଧାରଣରେ ଦାବି ହୋଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି