
ଭୁବନେଶ୍ୱର, ୨୨ ଅଗଷ୍ଟ (ହି.ସ.)- ପ୍ରତିଷ୍ଠିତ ସାହିତ୍ୟ, ସଂସ୍କୃତି ଓ ସମାଜସେବା ଅନୁଷ୍ଠାନ ‘ଚିନ୍ତା ଓ ଚେତନା’ର ୪୯ତମ ବାର୍ଷିକ ମହୋତ୍ସବ ଆସନ୍ତା ଅଗଷ୍ଟ ୨୫ରୁ ୨୭ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ଏନେଇ ଅନୁଷ୍ଠାନ ପକ୍ଷରୁ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ମହାସଚିବ ସୁରେନ୍ଦ୍ର ଦାସ ସୂଚନା ଦେଇଥିଲେ।
ସେ କହିଥିଲେ ଯେ, ଚଳିତ ବର୍ଷର ମହୋତ୍ସବର ଏକ ବିଶେଷ ଉଦ୍ଦେଶ୍ୟ ରହିଛି। ରାଜ୍ୟର ବିଭିନ୍ନ ଅଂଚଳରେ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ‘ଚିନ୍ତା ଓ ଚେତନା’ ପକ୍ଷରୁ ସହାୟତା ଓ ପୁନର୍ବାସ କାର୍ଯ୍ୟ ଜାରି ରହିଛି। ଏହି ମହୋତ୍ସବ ଅବସରରେ ବନ୍ୟା ଦୁର୍ଗତଙ୍କ ସହାୟତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ତିନି ଦିନିଆ ଏହି ମହୋତ୍ସବରେ ଭାରତବର୍ଷର ବିଶିଷ୍ଟ ଶାସ୍ତ୍ରୀୟ କଳାକାରଙ୍କ ସହ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପ୍ରସିଦ୍ଧ କଳାକାରମାନେ ଅଂଶଗ୍ରହଣ କରିବେ। ଓଡ଼ିଶାର ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ, ସଙ୍ଗୀତଜ୍ଞ ଓ ବାଦ୍ୟଶିଳ୍ପୀମାନେ ମଧ୍ୟ ନିଜର କଳା ପ୍ରଦର୍ଶନ କରିବେ।
ମହୋତ୍ସବ ଅବସରରେ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ଅନ୍ତର୍ଜାତୀୟ ସମାଜସେବୀ, ବରିଷ୍ଠ ସେନା ଅଧିକାରୀ, ସାହିତ୍ୟିକ ଓ କଳାକାରମାନଙ୍କୁ ସମ୍ମାନିତ କରାଯିବ। ବିଭିନ୍ନ ସନ୍ଧ୍ୟାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ ବୋଲି ଆୟୋଜକମାନେ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ସଭାପତି ସହଦେବ ସାହୁ, ମହାସଚିବ ସୁରେନ୍ଦ୍ର ଦାସ, ଡକ୍ଟର ଶ୍ରୀନିବାସ ଘଟୁଆରୀ, ତୁଳସୀ ମହାନ୍ତି, ଉଦିତ୍ ନାରାୟଣ ମହାନ୍ତି, ରେଣୁକା ସେଠୀ ଓ ସଂଯୋଜକ ଅକ୍ଷୟ କୁମାର ସାହୁ ପ୍ରମୂଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା