
ବଲାଙ୍ଗୀର, ୨୩ ଅଗଷ୍ଟ(ହି.ସ.) – ବଲାଙ୍ଗୀର ନେତାଜୀ ସଂଗ୍ରାମ ପରିଷଦ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ଆୟୁଷ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ନେଇ ଦୃଢମତ ଉଠିଛି। ତ୍ରୈମାସିକ ମୁଖପତ୍ର ସୁଭାଷ ଚିନ୍ତନ ଚତୁର୍ଥ ବର୍ଷ ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଭଗବତୀ ମଣ୍ଡପ ଠାରେ ବଲାଙ୍ଗିର ରେ ଆୟୁଷ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠାର ପୃଷ୍ଠଭୂମି ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପରିଷଦର ସଭାପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଅଧ୍ୟକ୍ଷତା ରେ ଶିକ୍ଷାବିତ୍ ଡ. ଜୟକୁମାର ଆଚାର୍ଯ୍ୟ, ଆୟୁର୍ବେଦ ଡାକ୍ତର ବିପିନ ବିହାରୀ ମିଶ୍ର, ହୋମିଓପାଥି ଡାକ୍ତର ଗୋଦାବରିଶ ରଥ, ବରିଷ୍ଠ ଆଇନଜିବୀ ଶଶୀ ଭୂଷଣ ପୁରୋହିତ,ଦିବ୍ୟ ଜିବନ ସଂଘ ଯୋଗାଚାର୍ଯ୍ୟ ଶିବାନନ୍ଦ ଦାଶ ମଂଚାସିନ ଥିଲେ। ବିଶ୍ୱ ବିଦ୍ୟାଳୟ ର ପ୍ରତିଷ୍ଠା ସମୟୋପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତା ସମୁହ ମତବ୍ୟକ୍ତ କରିଥିଲେ। ବଲାଙ୍ଗୀର ଆୟୁର୍ବେଦ କଲେଜ ପୁରାତନ ଛାତ୍ର ସଂଘ ସଭାପତି ଡା. ବାସୁଦେବ ପତି ତାଙ୍କ ବକ୍ତବ୍ୟରେ ବଲାଙ୍ଗିର ରେ ଆୟୁଷ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଅପରିହାର୍ଯ୍ୟ ବୋଲି ମତପ୍ରକାଶ କରିଥିଲେ। ପରିଷଦର ଆବାହକ ବିରେନ୍ଦ୍ର ବନଛୋର ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇନଜିବୀ ଶିରିଷ ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଶତାଧିକ ବୁଦ୍ଧିଜିବୀ ଓ ସାହିତ୍ୟିକ ଅଂଶଗ୍ରହଣ କରିଥିଲେ ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ