
ଗଞ୍ଜାମ, ୨୩ ଅଗଷ୍ଟ (ହି.ସ.)- ବିଦ୍ୟୁତ ଆଘାତରେ ନାବାଳକର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈରାସୀ ଗ୍ରାମରେ ଘଟିଛି ଅଘଟଣ । ମୃତ ନାବାଳକ ଜଣକ ହେଲେ ପକ୍ଷୀରାଜ ସାହିର ବିସ୍ମୟ ନାୟକ । ବିସ୍ମୟ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ ।
ବିସ୍ମୟ ଶନିବାର ରାତିରେ ନିଜ ଘରେ ଏକ ସାଇନ୍ସ ପ୍ରୋଜେକ୍ଟ (ବିଜ୍ଞାନ ପ୍ରକଳ୍ପ) କରୁଥିଲେ ଆଉ ସେଥିରେ ବିଦ୍ୟୁତ ସାହାଯ୍ୟରେ ପରୀକ୍ଷା ନିରୀକ୍ଷା କରୁଥିବା ବେଳେ ହଠାତ୍ ବିଦ୍ୟୁତ ଆଘାତରେ ଆହତ ହୋଇ ତଳେ ପଡ଼ିଯାଇଥିଲେ । ପରିବାର ଲୋକ ତାଙ୍କୁ ତୁରନ୍ତ ଏକ ଅଟୋ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ବିସ୍ମୟଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି । ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ