ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟ,ଡାକ୍ତର ନିଯୁକ୍ତ କରିବାକୁ ଦାବି
ନୂଆପଡ଼ା, ୨୩ ଅଗଷ୍ଟ (ହି.ସ.)- ନୂଆପଡା ଜିଲ୍ଲାର ପ୍ରମୁଖ ସହର ଖଡିଆଳ। ଖଡିଆଳ ନୂଆପଡା ଜିଲ୍ଲାର ମଧ୍ୟସ୍ଥଳରେ ରହିଥିବା ବେଳେ ଏଠାକାର ଉପଖଣ୍ଡ ଡାକ୍ତରଖାନାରେ ସ୍ଵାସ୍ଥ୍ୟସେବା ପାଇବା ସକାଶେ ଶତାଧିକ ଲୋକେ ନିର୍ଭର କରିଥାନ୍ତି। ଏପରିକି ନୂଆପଡା ଜିଲ୍ଲାର ଖଡିଆଳ, ବୋଡେନ, ସିନାପାଲି, ପଡୋଶୀ ବଲାଙ୍ଗିର
Doctor problem at khariar hospital


ନୂଆପଡ଼ା, ୨୩ ଅଗଷ୍ଟ (ହି.ସ.)- ନୂଆପଡା ଜିଲ୍ଲାର ପ୍ରମୁଖ ସହର ଖଡିଆଳ। ଖଡିଆଳ ନୂଆପଡା ଜିଲ୍ଲାର ମଧ୍ୟସ୍ଥଳରେ ରହିଥିବା ବେଳେ ଏଠାକାର ଉପଖଣ୍ଡ ଡାକ୍ତରଖାନାରେ ସ୍ଵାସ୍ଥ୍ୟସେବା ପାଇବା ସକାଶେ ଶତାଧିକ ଲୋକେ ନିର୍ଭର କରିଥାନ୍ତି। ଏପରିକି ନୂଆପଡା ଜିଲ୍ଲାର ଖଡିଆଳ, ବୋଡେନ, ସିନାପାଲି, ପଡୋଶୀ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା, ତୁରେକେଲା ଏବଂ ପଡୋଶୀ ଛତିଶଗଡର ରାଜ୍ୟର ଦେଓଭୋଗ ଅଞ୍ଚଳର ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । ପ୍ରତିଦିନ ଏହି ଡାକ୍ତରଖାନାରେ ୩୦୦ରୁ ୪୦୦ ରୋଗୀ ଚିକିତ୍ସିତ ହୋଇଥାନ୍ତି । ହେଲେ ଏଠାରେ ଡାକ୍ତର ସମସ୍ୟା ନିତିଦିନିଆ ସମସ୍ୟାରେ ପରିଣତ ହୋଇଥିବାରୁ ସ୍ଵାସ୍ଥ୍ୟସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ବେଳେ ସାଧାରଣ ଲୋକେ ଓ ରୋଗୀମାନେ ନାହିଁନଥିବା ସମସ୍ଯା ଭୋଗ କରୁଛନ୍ତି । ଏନେଇ ବୁଦ୍ଧିଜୀବୀ, ସଚେତନ ନାଗରିକ, ବିଭିନ୍ନ ରାଜନୈତିକ ଦଳ ଅନେକ ଥର ରାଜ୍ୟ ସରକାର, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଉପରିସ୍ଥ ଅଧିକାରୀ ମାନଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇ ପାରୁନାହିଁ । ଏଠାରେ ଡାକ୍ତର ପଦବୀ ପୂରଣ କରିବା ବଦଳରେ ଏଠାକାର ଡାକ୍ତରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏଥିରେ ୧୯ ଜଣ ଡ଼ାକ୍ତର ରହିବା କଥା। କିନ୍ତୁ ଆବଶ୍ୟକ ଡାକ୍ତର ପୂରଣ ନକରି ବର୍ତ୍ତମାନ ଦାୟିତ୍ୱରେ ଥିବା ମେଡିକାଲ ଇନଚାର୍ଜ ଡାକ୍ତର ରଞ୍ଜିତ ରାଉତଙ୍କୁ ପଦୋନ୍ନତି ଦିଆଯାଇ ବୁର୍ଲା ଡାକ୍ତରଖାନାକୁ ବଦଳି ହୋଇଥିବା ବେଳେ ଶିଶୁ ଡାକ୍ତର ମହେନ୍ଦ୍ର ମାଝୀଙ୍କୁ କୋମନା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇଥିବା ସୂଚନା ମିଳିଛି। ଏହି ୨ ଜଣଙ୍କ ବଦଳି ପରେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଡାକ୍ତରଖାନାରେ ଥିବା ଡାକ୍ତର ସମସ୍ୟା ଗୁଡିକର ଅତିଶୀଘ୍ର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି। ନଚେତ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ଦେଖାଦେବ ଏଥିରେ ଦ୍ୱିମତ ନାହିଁ।

ଏନେଇ ମେଡିକାଲ ଇନଚାର୍ଜଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande