କୀର୍ତନ ମଣ୍ଡପର ଉନ୍ନତିକରଣ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ
MLA laid foundation stone for development work
MLA laid foundation stone for development work


ଝାରସୁଗୁଡ଼ା, ୨୩ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ପୌରାଞ୍ଚଳ ଅନ୍ତର୍ଗତ ୮ ନମ୍ବର ୱାର୍ଡ ପଞ୍ଚପଡ଼ା ଗ୍ରାମରେ କୀର୍ତ୍ତନ ମଣ୍ଡପର ଉନ୍ନତିକରଣ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ରବିବାର ଏହାର ଶୁଭ ଉଦ୍ଘାଟନ କରିଛନ୍ତି। ବିଧାୟକ ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ନିର୍ବାଚନ ପରେ ଗ୍ରାମବାସୀଙ୍କ ସହ ଆଲୋଚନା ସମୟରେ ଗ୍ରାମର ବିଭିନ୍ନ ଆବଶ୍ୟକତା ନେଇ ୧୦ଟି ପ୍ରମୁଖ ଦାବି ରଖାଯାଇଥିଲା। ସେଥିମଧ୍ୟରୁ ପ୍ରାୟ ୪ ରୁ ୫ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଗ୍ରାମର ରାସ୍ତାଘାଟ, ଗମନାଗମନ ଓ ସ୍ନାନଘାଟ ଆଦି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପ୍ରାୟ ୧୫ ରୁ ୨୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହି କ୍ରମରେ ଗ୍ରାମବାସୀଙ୍କ ଦାବି ଅନୁସାରେ କୀର୍ତ୍ତନ ମଣ୍ଡପର ଉନ୍ନତିକରଣ ଓ ରେଲିଂ ଲଗାଇବା ପାଇଁ ବିଧାୟକ ଲୋକସେବା ପାଣ୍ଠିରୁ ୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଗ୍ରାମବାସୀଙ୍କ ମିଳିତ ସହଯୋଗରେ ପଞ୍ଚପଡ଼ାକୁ ଏକ ଆଦର୍ଶ ଗ୍ରାମ ଏବଂ ପୌରାଞ୍ଚଳର ଏକ ଆଦର୍ଶ ୱାର୍ଡରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ବିଧାୟକ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ ଓ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande