
ପାରାଦ୍ଵୀପ, ୨୩ ଅଗଷ୍ଟ (ହି.ସ.)- ଓଡ଼ିଶା ଉପକୂଳରେ ଘଟିଛି ଏକ ବଡ ଅଘଟଣ । ପାରାଦ୍ୱୀପ ବନ୍ଦରରୁ ଲୁହାପଥର ବୋଝେଇ କରି ସିଙ୍ଗାପୁର ଅଭିମୁଖେ ଯାଉଥିବା ଏକ ପଣ୍ୟବାହି ଜାହାଜ ‘ଏମଭି ଓସିଅନ ୱିନର’ ମଝି ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡି ଯାଇଛି । ପାରାଦ୍ୱୀପ ଉପକୂଳ ଠାରୁ ପ୍ରାୟ ୩୬୦ କି.ମି. ଦୂର ଗଭୀର ସମୁଦ୍ରରେ ଏହି ଅଘଟଣ ଘଟିଛି । ଜାହାଜଟି ପାରାଦ୍ୱୀପ ବନ୍ଦରରୁ ବାହାରିବା ପରେ ଏହାସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏହି ସୂଚନା ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ପକ୍ଷରୁ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ନିଖୋଜ କ୍ରୁ ମେମ୍ବର ମାନଙ୍କ ସନ୍ଧାନରେ ବଙ୍ଗୋପସାଗରରେ ବଡ ଧରଣର ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି । ସମୁଦ୍ର ମଝିରେ ଚାଲିଥିବା ଏହି ଅଭିଯାନରେ କୋଷ୍ଟଗାର୍ଡ଼ ର ୩ଟି ଜାହାଜ ଆଇଏନଏସ ଭାରାଦ, ଆଇସିଜିଏସ ଅନମୋଲ ଏବଂ ଆଇସିଜିଏସ ଭିଜିଟ ନିୟୋଜିତ ହୋଇଛି । ଜାହାଜରେ ମୋଟ୍ ୨୪ ଜଣ କ୍ରୁ ମେମ୍ବର ଥିଲେ । ତେବେ ବର୍ତମାନ ସୁଦ୍ଧା ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ଥିବା ଅନ୍ୟ ୨୨ ଜଣ କ୍ରୁ ସଦସ୍ୟ ମାନଙ୍କୁ ଠାବ କରିବା ଏବଂ ଉଦ୍ଧାର କରିବା ଉଦ୍ଧାରକାରୀ ଦଳର ପ୍ରାଥମିକତା ରହିଛି । ସମ୍ଭାବ୍ୟ ସ୍ଥାନ ଗୁଡିକରେ କୋଷ୍ଟଗାର୍ଡ଼ ଜାହାଜ ଗୁଡିକ ଲଗାତାର ସନ୍ଧାନ ଜାରି ରଖିଛନ୍ତି । ନିଖୋଜ କ୍ରୁ ମେମ୍ବର ମାନଙ୍କୁ ଯଥାଶୀଘ୍ର ଠାବ କରିବା ପାଇଁ ସମୁଦ୍ରର ବିସ୍ତୃତ ଅଂଚଳରେ ତଲାସୀ ଚାଲିଛି ।
ଦୁର୍ଘଟଣାଗ୍ରସ୍ତ ଜାହାଜ ‘ଏମଭି ଓସିଅନ ୱିନର’ରେ ୨୦ ଜଣ ଚୀନ୍ ନାଗରିକ, ୩ ଜଣ ମ୍ୟାନମାର ନାଗରିକ ଓ ଜଣେ ବାଂଲାଦେଶୀ ନାଗରିକ କ୍ରୁ ସଦସ୍ୟ ଥିଲେ । ଜାହାଜଟି ପାରାଦ୍ୱୀପରୁ ଲୁହାପଥର ବୋଝେଇ କରି ସିଙ୍ଗାପୁର ଅଭିମୁଖେ ଯାଉଥିବା ବେଳେ ଉତର ବଙ୍ଗୋପସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ