
ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.) ଓଡ଼ିଶାରେ ଦୀର୍ଘ ୩୯ ବର୍ଷ ପରେ ଫାର୍ମାସିଷ୍ଟ କ୍ୟାଡରର ପୁନର୍ଗଠନ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହ ଫାର୍ମାସିଷ୍ଟମାନଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ସରକାର ପର୍ଯ୍ୟାୟକ୍ରମେ ପଦକ୍ଷେପ ନେଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ କହିଛନ୍ତି।
ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ‘ଓଡ଼ିଶା ଫାର୍ମାସୀ ଅଧିକାରୀ ସେବା ସଂଘ’ର ଏକ ଦିବସୀୟ ବାର୍ଷିକ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି।
ମହାଲିଙ୍ଗ କହିଛନ୍ତି ଯେ, ରାଜ୍ୟର ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବାରେ ଫାର୍ମାସିଷ୍ଟମାନଙ୍କ ଅବଦାନ ଅତୁଳନୀୟ। ଫାର୍ମାସିଷ୍ଟମାନଙ୍କ ଦୀର୍ଘବର୍ଷର ଦାବିକୁ ଗୁରୁତ୍ୱ ଦେଇ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ୩୯ ବର୍ଷ ପରେ କ୍ୟାଡରର ପୁନର୍ଗଠନ ସହିତ ଫାର୍ମାସିଷ୍ଟମାନଙ୍କ ଚାକିରିରେ ଦାୟିତ୍ୱ ସମ୍ପର୍କିତ ଚାର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି।
ସେ କହିଛନ୍ତି, ରାଜ୍ୟରେ ପ୍ରାୟ ୩୦୦ ଜଣ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। ଏହାସହ ଆହୁରି ୧,୧୦୮ ଜଣ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଏଥିସହ ଫାର୍ମାସିଷ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ ରିକ୍ରୁଟମେଣ୍ଟ ଆଣ୍ଡ ପ୍ରମୋସନ୍ ସର୍ଭିସ୍–୨୦୨୫ କୁ ଓଡ଼ିଶାରେ ଲାଗୁ କରିବା ପାଇଁ ରହିଥିବା ଦାବି ଉପରେ ମଧ୍ୟ ସରକାର ବିଚାର କରୁଥିବା ସେ କହିଛନ୍ତି।
ମନ୍ତ୍ରୀଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ର ଅଧିକ ସୁଦୃଢ଼ ହୋଇଛି। ଦକ୍ଷ ମାନବ ସମ୍ବଳ, ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଆଧୁନିକ ବ୍ୟବସ୍ଥା ମାଧ୍ୟମରେ ରୋଗୀସେବାକୁ ଅଧିକ ସହଜ, ସରଳ ଓ ସଠିକ୍ କରିବା ଦିଗରେ ପଦକ୍ଷେପ ନିଆଯାଉଛି।
ସରକାରଙ୍କ ଲୋକାଭିମୁଖୀ ପଦକ୍ଷେପଗୁଡ଼ିକୁ ତୃଣମୂଳସ୍ତରରେ ପହଞ୍ଚାଇବା ସମସ୍ତଙ୍କ ଦାୟିତ୍ୱ ବୋଲି ମହାଲିଙ୍ଗ କହିଛନ୍ତି। ଆରୋଗ୍ୟ ସେତୁ ଆପ୍ ୨.୦ର ପ୍ରଚାର ସହ ଆଣ୍ଟିବାୟୋଟିକ୍ର ସଠିକ୍ ବ୍ୟବହାର ନେଇ ଲୋକଙ୍କୁ ସଚେତନ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।
ସେ କହିଛନ୍ତି ଯେ, ସରକାର, ସ୍ୱାସ୍ଥ୍ୟକର୍ମୀ ଓ ସାଧାରଣ ଲୋକଙ୍କ ସାମୂହିକ ପ୍ରୟାସ ମାଧ୍ୟମରେ ଏକ ସୁସ୍ଥ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ସହ ଏକ ସୁସ୍ଥ ଭାରତ ଗଠନର ଲକ୍ଷ୍ୟ ସାକାର କରାଯାଇପାରିବ।
ଏହି ଅବସରରେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର ସଭାପତି ସମୀର ମହାନ୍ତି, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ବରିଷ୍ଠ ନେତା କାଳନ୍ଦି ସାମଲ, ସଂଘର ସଭାପତି ଶୁଭଲକ୍ଷ୍ମୀ ସ୍ୱାଇଁ, ସାଧାରଣ ସମ୍ପାଦକ କ୍ଷିତିଶ ପଟ୍ଟନାୟକ, କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶିକା ଡ. ସୁଜାତା ମିଶ୍ର, ସ୍ୱତନ୍ତ୍ର ସଚିବ ଡ. ମହେଶ କୁମାର ପଣ୍ଡା, ଯୁଗ୍ମ ନିର୍ଦ୍ଦେଶକ ଡ. ଶୁଭ୍ରାଂଶୁ ପ୍ରଧାନ ଏବଂ ସମାଜସେବୀ ଅଜିତ ଦାସଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ