
ନୂଆପଡ଼ା, ୨୩ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ପ୍ରାଣୀ ସମ୍ପଦ ବିଭାଗର ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛିl ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୁଖେନ୍ଦୁ ରାୟ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରାଣୀପାଳନ ଯୋଜନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଗ୍ରଣୀ ପ୍ରାଣୀପାଳକ ମାନଙ୍କୁ ଜିଲ୍ଲାପାଳ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ୩,୦୦୦ କୁକୁଡ଼ା ପାଳନ ଯୋଜନାରେ ସିନାପାଲି ବ୍ଲକ୍ର ଶାନ୍ତି ବଗର୍ତ୍ତି, ୨,୦୦୦ କୁକୁଡ଼ା ପାଳନ ଯୋଜନାରେ ବୋଡ଼େନ ବ୍ଲକ୍ ର ଭ୍ରମର ସିଂହ ମାଝୀ, ୩୦+୨ ମେଣ୍ଢା ପାଳନରେ କୋମନା ବ୍ଲକ୍ ର ପ୍ରେମଶିଳା ପୁଞ୍ଜି, ୨,୫୦୦ କୁକୁଡ଼ା ପାଳନରେ ନୂଆପଡ଼ା ବ୍ଲକ୍ ର ହିରନ୍ତିନି ବାଗ ଏବଂ ୩,୦୦୦ କୁକୁଡ଼ା ପାଳନ ଯୋଜନାରେ ଖରିଆର ବ୍ଲକ୍ ର ମାଧୁରୀଙ୍କୁ ସମ୍ମାନିତ କରାଯାଇଥିଲା।
ବୈଠକରେ ଜିଲ୍ଲାପାଳ ଗୃହପାଳିତ ପ୍ରାଣୀମାନଙ୍କର ବୀମାକରଣ ଓ ଟୀକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ। ଏଥିସହ ଘାସ ଚାଷକୁ ଅଧିକ ପ୍ରୋତ୍ସାହନ ଦେଇ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ସହ ଜିଲ୍ଲାର ପ୍ରାଣୀପାଳକମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିବା ଦିଗରେ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ସମସ୍ତ ବ୍ଲକ୍ ର ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀ ଚିକିତ୍ସକ ଏବଂ ସମ୍ମାନିତ ପ୍ରାଣୀପାଳକମାନେ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ବୈଠକ ସମାପ୍ତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ