




ସମ୍ବଲପୁର, ୨୩ ଅଗଷ୍ଟ(ହି.ସ.) – ରାସ୍ତା ସମସ୍ୟା ନେଇ ଆଜି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଖର୍ସନମାଲ୍ ପଂଚାୟତରେ ଦେଖିବାକୁ ମିଳିଛି ମହିଳାଙ୍କ ଅଭିନବ ପ୍ରତିବାଦ। ଏହି ପଂଚାୟତ ଅନ୍ତର୍ଗତ କାଣୀବନ୍ଧଳୀରୁ ବାଘଲତ ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତା ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ସାମାନ୍ୟ ବର୍ଷା ହେଲେ ରାସ୍ତାଟି କାଦୁଅରେ ପଚପଚ ହୋଇ ପଡୁଥିବା ଥିବାବେଳେ ଲଗାଣ ବର୍ଷା ପରେ ପରବର୍ତୀ ଅବସ୍ଥା କହି ହେଉନାହିଁ। ରାସ୍ତା ସମସ୍ୟା କେବଳ କାଣୀବନ୍ଧଳୀ ବାଘଲତ ରାସ୍ତାରେ ସୀମିତ ନୁହେଁ, ଖର୍ସନମାଲ୍ ପଂଚାୟତର ଅନେକ ଗ୍ରାମୀଣ ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ସାହାଜବାହାଲ୍ରୁ ଟାଙ୍ଗରପାଲି, କୁମୁକାପାଲିରୁ ଖଇରମାଲ୍, ଭୁବୁରାପାଲରୁ କାଣୀବନ୍ଧଳୀ, କାଣୀବନ୍ଧଳୀରୁ ଖଡ଼ିଆପଡ଼ା ଏବଂ ଖର୍ସନମାଲ୍ ପଂଚାୟତ ଅଫିସରୁ ଖର୍ସନମାଲ୍ ଗାଁକୁ ଯାଇଥିବା ରାସ୍ତା ମଧ୍ୟ ଦୀର୍ଘଦିନ ଧରି ମରାମତି ଅପେକ୍ଷାରେ ରହିଥିବା ଅଭିଯୋଗ ହୋଇଛି। ବର୍ଷା ଋତୁରେ ଏହି ରାସ୍ତାଗୁଡ଼ିକରେ କାଦୁଅ ଓ ଖାଲଖମା ଯୋଗୁଁ ଯାତାୟାତ ଦୁର୍ବିସହ ହୋଇପଡୁଛି। ବାଘଲତ୍ ଗାଁର ଗୌନ୍ତିଆପଡ଼ା, ପୁଞ୍ଜିପତରପଡ଼ା, ମଝିପଡ଼ା ଓ ତଳିପଡ଼ାରେ ପ୍ରାୟ ୬୦ରୁ ୭୦ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ଗାଁରେ ଏକମାତ୍ର ଅଙ୍ଗନୱାଡ଼ି କେନ୍ଦ୍ର ଥିବାବେଳେ ଶିକ୍ଷା ପାଇଁ ପିଲାମାନଙ୍କୁ ବଡ଼ରମା, ଷଣ୍ଢପଥର ଓ ମୁଣ୍ଢେନପାଲି ଭଳି ଅଂଚଳର ହଷ୍ଟେଲରେ ଛାତ୍ରଛାତ୍ରୀ ରହିବାକୁ ବାଧ୍ୟ ହେଉଛନ୍ତି। ଗାଁକୁ ଯିବାପାଇଁ ଏହି ଏକମାତ୍ର ରାସ୍ତା ଭରସା ଥିବାବେଳେ ବର୍ଷା ହେଲେ ରାସ୍ତାରେ ଏତେ କାଦୁଅ ହୋଇଯାଏ ଯେ ଲୋକଙ୍କ ଯାତାୟାତ ଅତ୍ୟନ୍ତ କଷ୍ଟକର ହୋଇପଡ଼େ ବୋଲି ସବିତା, ଦମୟନ୍ତୀ ଓ ଭଳି ବହୁ ମହିଳା ଅଭିଯୋଗ ବାଢ଼ିଛନ୍ତି। ଏପରିକି ଲଗାଣ ବର୍ଷାରେ ଖାଲି ପାଦରେ ଚାଲିବା ମଧ୍ୟ କଷ୍ଟକର ହୋଇ ପଡ଼ିଥାଏ। ବାର୍ଦ୍ଧକ୍ୟ ଭତା ଠାରୁ ଆରମ୍ଭ କରି ବିପିଏଲ୍ ଚାଉଳ ପାଇଁ ପଂଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ଏହି ରାସ୍ତାଦେଇ ଯିବାକୁ ପଡ଼ିଥାଏ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କୁଚିଣ୍ଡା ନିର୍ବାଚନମଣ୍ଡଳୀର ବିଧାୟକ ତଥା ପଂଚାୟତିରାଜ ଓ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଜମନକିରା ବ୍ଲକ୍ରେ ଏଭଳି ମୌଳିକ ସମସ୍ୟାର ସମାଧାନ ଦିଗରେ ମନ୍ତ୍ରୀଙ୍କ ବ୍ୟସ୍ତ ବହୁଳ ସମୟ ଅଭାବ ଦର୍ଶାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅବଶ୍ୟ ନିର୍ବାଚନ ସମୟରେ ୮/୧୦ ଥର ଗାଁକୁ ଆସି ଶ୍ରୀ ନାଏକ ଏହି ମୁଖ୍ୟ ରାସ୍ତାର ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ନିର୍ବାଚିତ ପରେ ସମୟ ଅଭାବ ଯୋଗୁଁ ଏହି ରାସ୍ତାଟି ଅବହେଳିତ ହୋଇ ରହିଯାଇଛି। ଏହି ରାସ୍ତା ସମସ୍ୟା ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜୁଥିବାରୁ ଆଜି ଆଜି ତଳିପଡ଼ା ଓ ବାଘଲତ୍ ଗାଁର ଶତାଧିକ ମହିଳା ପ୍ରତିକ୍ରିୟା ଜଣାଇ ରାସ୍ତା ମଝିରେ ଧାନ ରୋଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷେ ଏହି ଅଂଚଳର ନିର୍ବାଚିତ ବିଧାୟକ ରାଜ୍ୟ ମନ୍ତ୍ରିମଣ୍ଡଳର ଜଣେ ଟାଣୁଆ ମନ୍ତ୍ରୀ ଭାବେ ରାଜ୍ୟର କୋଣ ଅନୁକୋଣର କାର୍ଯ୍ୟକ୍ରମରେ ଯୋଗଦେଇ ପାରୁଛନ୍ତି। ମାତ୍ର ନିଜ ନିର୍ବାଚନ ମଣ୍ଡଳୀକୁ ଅଣଦେଖା କରିବା କେବେବି ଗ୍ରହଣୀୟ ନୁହେଁ ବୋଲି କିଛି ବିରୋଧି ରାଜନୈତିକ ଦଳର ବରିଷ୍ଠ କର୍ମୀ ସିଧା ସିଧା ତେର୍ଚ୍ଛା ବାଣ ମାରିବା ଘଟଣା ବେଶ୍ ରୋଚକ ପରିସ୍ଥିତି ସୃଷ୍ଟି କରାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ